ଢେଙ୍କାନାଳରେ ସକ୍ରିୟ ହେଉଛି ଆମ୍ ଆଦମୀ ପାର୍ଟି…

ଢ଼େଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର ଓ କୃଷିର ବିକାଶ ପାଇଁ ରାଜନୀତି ଆରମ୍ଭ ହୋଇଯାଇଛି l ଏ ନେଇ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ତିନି ଦିନ ଢ଼େଙ୍କାନାଳ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଭୁବନେଶ୍ୱର ଫେରିଛନ୍ତି l ପ୍ରଥମ ଦିନ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲରେ ଢ଼େଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଶତାଧିକ ସକ୍ରିୟ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇ ଜିଲ୍ଲାର ଅବହେଳିତ ଶିକ୍ଷା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରିଥିଲେ l କେନ୍ଦ୍ର ଏବଂ ରାଜ୍ୟ ସରକାର ଏସବୁ ପ୍ରତି ଦୃଷ୍ଟି ନଦେଇ କେବଳ ନିର୍ବାଚନ କିପରି ଜିତିବେ ଏବଂ ସାଧାରଣ ଲୋକଙ୍କୁ ଠକି ଭୋଟ ନେବାପାଇଁ ଚକ୍ରାନ୍ତ ଚଳାଇବା ସହ ଭୋଟରଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି କହିଛନ୍ତି ଜିଲ୍ଲା ସଭାପତି ପଙ୍କଜ ନାୟକ । ଏହି ଅବସରରେ ସଦର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବିକ୍ରମ ରାଉତ, ଗଁଦିଆ ବ୍ଲକ ସଭାପତି ଶେଷଦେବ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ଯୁବ ସଭାପତି ଅଶ୍ୱିନୀ ପଟ୍ଟନାୟକ, ମିଡ଼ିଆ ସଦସ୍ୟ ଜିତେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ ରାଜ୍ୟ ସଭାପତି ସମସ୍ତ ସକ୍ରିୟ ସଦସ୍ୟମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାପାଇଁ ଆହ୍ୱାନ ଦେଇଥିଲେ l

ଏହା ସହ ରାଜ୍ୟ ସଭାପତି ଢ଼େଙ୍କାନାଳର ବୁଦ୍ଧିଜୀବୀମାନଙ୍କ ସହିତ ଏକ ଆଲୋଚନା ଚକ୍ରରେ ଭାଗ ନେଇଥିଲେ l ଗଁଦିଆ ବ୍ଲକ ଖଙ୍କିରା ମା’ତାରିଣୀ ମନ୍ଦିର ପରିସରରେ ପାଞ୍ଚୋଟି ପଞ୍ଚାୟତର ସକ୍ରିୟ କର୍ମୀମାନଙ୍କ ସହିତ ଏକ ବୈଠକରେ ଭାଗ ନେବା ସହ ଷଡ଼ଙ୍ଗୀ ପଞ୍ଚାୟତର କର୍ମୀମାନଙ୍କ ସହିତ ବୈଠକ କରିଥିଲେ । ପରେ ଗଁଦିଆ ପଟଣା ଛକରେ ବ୍ଲକ କାର୍ଯ୍ୟାଳୟ ଉଦଘାଟନ କରି ୯ ଟି ପଞ୍ଚାୟତର ସକ୍ରିୟ କର୍ମୀମାନଙ୍କୁ ରାଜ୍ୟ ସଭାପତି ଜିଲ୍ଲା ତଥା ରାଜ୍ୟର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ଥିତି ସମ୍ପର୍କରେ ତଥ୍ୟ ଦେଇଥିଲେ l ଏହି ଅବସରରେ ଗଁଦିଆ ବ୍ଲକର ଈଶ୍ୱର ଖଟୁଆଙ୍କ ସହିତ ଶତାଧିକ ନୂତନ ସାଥି ଦଳରେ ଯୋଗ ଦେଇଥିଲେ ।
ସେହିପରି ଢ଼େଙ୍କାନାଳର ସମସ୍ୟା ଏବଂ ବନ୍ଦ ପଡ଼ିଥିବା କଳ କାରଖାନାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ ରାଜ୍ୟ ସଭାପତି l ଏହି ଅବସରରେ ସେ ସପ୍ତଶଯ୍ୟା ପଞ୍ଚାୟତରେ ସଦର ବ୍ଲକର ସକ୍ରିୟ କର୍ମୀମାନଙ୍କ ସହିତ ଏକ ବୈଠକରେ ଭାଗ ନେଇଥିଲେ l ଜିଲ୍ଲାର ସମସ୍ତ କର୍ମୀମାନଙ୍କୁ ପନ୍ଦର ଦିନର ଏକ ହୋମ୍ ୱାର୍କ ଦେଇ ଶ୍ରୀ ମହାପାତ୍ର ଭୁବନେଶ୍ୱର ପ୍ରତ୍ୟାବର୍ତନ କରିଥିଲେ ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ୍ କୁମାର ବେହେରା