ଓଡିଶା

ବସୁଧା ଯୋଜନା ଏବେ ବସୁଧାରେ ଲୀନ । ପାଣି ପାଇଁ ଡହଳ ବିକଳ ସାଧାରଣ ଜନତା…

ଗଜପତି : ବସୁଧା ଯୋଜନା ଏବେ ବସୁଧାରେ ଲୀନ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକଳ୍ପମାନ କରିଛନ୍ତି । ଏବଂ ଏଥିପାଇଁ କୋଟି କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ କରୁଛନ୍ତି । ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସରକାରଙ୍କ ଜନହିତକର ପ୍ରକଳ୍ପ ଜନସାଧାରଣଙ୍କ କାମରେ ଆସୁନି । ଏପରି ସ୍ଥଳେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରମାନେ ମାଲେମାଲ ହେଉଥିବା ବେଳେ ସରକାରଙ୍କ ଏହି ପାନୀୟ ଜଳ ଯୋଗାଣ ଯୋଜନା ବିଫଳତାର ଚରଣ ସୀମାରେ ପହଞ୍ଚିଛି । ଜଳ ଯୋଗାଣ ନିମନ୍ତେ ସମସ୍ତ ଭିତ୍ତିଭୂମୀ ଥାଇ ମଧ୍ୟ ପାଣି ମୁନ୍ଦାଏ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗଜପତି ଜିଲ୍ଲା ଗୋଷାଣି ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ ଏସ୍.ଉରୁଡା ଗ୍ରାମରେ ବସୁଧା ଯୋଜନାରେ ବିକଳ ଚିତ୍ର ଦେଖିବାକୁ ମିଳିଛି । ବିଶୁଦ୍ଧ ପାନୀୟ ଜଳ ପାଇଁ ଜନସାଧାରଣ ଡହଳବିକଳ ହେଉଥିବା ବେଳେ ପାନୀୟ ଜଳ ସେବାରୁ ବଞ୍ଚିତ ହୋଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଏହି ଗ୍ରାମରେ ଗତ ୨୦୧୭ ମସିହାରେ ପାନୀୟ ଜଳ ଯୋଗାଇଦେବା ଲାଗି ବିଭାଗ ତରଫରୁ ତିରିଶି ହଜାର ଲିଟର ବିଶିଷ୍ଟ ଓଭର ହେଡ ଟାଙ୍କି ନିର୍ମାଣ କରାଯାଇଥିଲା । ଏଥିପାଇଁ ପମ୍ପହାଉସ ମଧ୍ୟ ନିର୍ମାଣ ହୋଇଛି । ଆଉ ଗ୍ରାମର ସମସ୍ତ ଘର ଘରକୁ ଟ୍ୟାପ ମଧ୍ୟ ଦିଆସରିଛି । ମାତ୍ର ପମ୍ପହାଉସର ମୋଟରଟି ସେତେବେଳେ ଦିନେ କି ଦିନ ଚାଲି ଖରାପ ହୋଇଯାଇଥିଲା । ଆଉ ସେବେଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ଛଅ ବର୍ଷ ହେଲା ଏହି ପାନୀୟ ଜଳ ପ୍ରକଳ୍ପ ବନ୍ଦ ହୋଇ ପଡିଥିବା କହିଛନ୍ତି ଗ୍ରାମବାସୀ ।

ଏହି ଓଭର ହେଡ ପାଣି ଟାଙ୍କି ଉପରେ ଏସ୍. ଉରୁଡା ଗ୍ରାମର ଉପରସାହି, ଜକାର ସାହି, ଢେପସାହି, କେ.ଉରୁଡା, ନୂଆସାହି ଆଦିର ପ୍ରାୟ ପନ୍ଦର ଶହରୁ ଉର୍ଦ୍ଧ୍ବ ଅଧିବାସୀ ନିର୍ଭର କରନ୍ତି । ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ବସାଯାଇଥିବା ଟ୍ରାନ୍ସଫର୍ମରଟି ଗତ ୨୦୧୮ ମସିହାରେ ସାମୁଦ୍ରିକ ଝଡ ତିତିଲିରେ ଭାଙ୍ଗିରୁଜି ଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଟ୍ରାନ୍ସଫର୍ମରଟି ବସାଯାଇ ପାରିଲା ନାହିଁ । ଗ୍ରାମରେ ଜଳ ଯୋଗାଣ ନିମନ୍ତେ ଅନ୍ୟ ବିକଳ୍ପ ଭାବେ ନଳକୂପ ରହିଥିଲେ ମଧ୍ୟ ଏଗୁଡିକ ଅନେକ ମାତ୍ରାରେ ରକ୍ଷଣା ବେକ୍ଷଣ ଅଭାବରୁ ଖରାପ ହୋଇଯାଇଛି । ଏହାସହ ଗୋଟିଏ କି ଦୁଇଟି ନଳକୂପରୁ ପାଣି ଆସୁଛି ହେଲେ ତାହା କଳଙ୍କିଯୁକ୍ତ ପାଣି କାରଣରୁ ଏହା ବ୍ୟବହାର ଉପଯୋଗୀ ନୁହେଁ । ଏପରି ସ୍ଥଳେ ଏହି ଗ୍ରାମାଞ୍ଚଳରେ ଗୋଟିଏ ମାତ୍ର କୂପ ରହିଥିବାରୁ ମହିଳାମାନେ ପ୍ରାୟ ଦୁଇ କିମି ରାସ୍ତା ଅତିକ୍ରମ କରି ହାଣ୍ଡିଏ ଲେଖାଏଁ ପାଣି ବୋହି ନିଜର ତଷ୍ଣା ମେଣ୍ଟାଉଛନ୍ତି ।

ଏହି ସମସ୍ୟା ନେଇ ବିଭିନ୍ନ ସ୍ତରରେ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନକୁ ଜଣାଇଛନ୍ତି ଗ୍ରାମବାସୀ, ହେଲେ ଫଳ ଶୂନ୍ୟ । ଏପରିକି ଚଳିତ ଜୁଲାଇ ୩୧ ତାରିଖରେ ଗୋଷାଣି ବ୍ଲକ ଲାବାଣ୍ୟଗଡରେ ହୋଇଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଶୁଣି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ନିଜେ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ, ଦଶରୁ ପନ୍ଦର ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯିବ । ଏହାରି ଭିତରେ ଜିଲ୍ଲାପାଳଙ୍କ ପ୍ରତିଶୃତିକୁ ବିତିଲାଣି ମାସେ, ହେଲେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରି ନଥିବା ଜଣାପଡିଛି ।

ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା