ମହିଳାଙ୍କ ସୁସ୍ଥତା ଦିଗରେ କାମ କରୁଛି ଗ୍ୟାପ୍ ଏବଂ ଓଡିଶା ମମ୍ ଟ୍ରାଇବ୍

ଭୁବନେଶ୍ବର : ମହିଳାଙ୍କ ଶାରିରୀକ ସମସ୍ୟା ଓ ସମାଧାନ ସମ୍ବନ୍ଧିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହିଳାମାନେ ଯେଉଁଭଳି ଭାବରେ ଦୈନିକ ଆହ୍ବାନର ସମ୍ମୁଖୀନ ହେଉଛନ୍ତି, ଏ ନେଇ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ସମ୍ପର୍କରେ ଆଲୋଚନା ହୋଇଛି । ମହିଳାଙ୍କ କିଛି ସମସ୍ୟା ଓ ତାର ସାମାଧାନର ରାସ୍ତାକୁ ସରଳ କରିବା ନିମନ୍ତେ ଗ୍ୟାପ୍ ଓ ଓଡିଶା ମମ୍ ଟ୍ରାଇବର ମିଳିତ ସହଯୋଗରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସୁଶ୍ରୁତ ହସ୍ପିଟାଲର ସିଇଓ ଚିଦାତ୍ମିକା ଖଟୁଆ ଯୋଗ ଦେଇଥିଲେ । ଦୁଇଟି ସଂଗଠନ ଗ୍ୟାପ୍ ଏବଂ ଓଡିଶା ମମ୍ ଟ୍ରାଇବ୍ ଏକତ୍ରିତ ହୋଇ ମହିଳାଙ୍କ ସୁସ୍ଥତା ଦିଗରେ ଏକ ପଦକ୍ଷେପ ନେଇଛନ୍ତି । ଗ୍ୟାପ୍ ହେଉଛି ଚାରିଜଣ ଉତ୍ସର୍ଗୀକୃତ ମହିଳା ଗୁଞ୍ଜନ, ଆୟୁଶି, ପ୍ରୀତି ଏବଂ ସୁଷମାଙ୍କୁ ନେଇ ଏକ ଅନନ୍ୟ ଏବଂ ଅସାଧାରଣ ଅନୁଷ୍ଠାନ, ଯାହା ମହିଳାଙ୍କ ସାମଗ୍ରିକ ବିକାଶ ଦିଗରେ କାମ କରେ । ଓଡିଶା ମମ୍ ଟ୍ରାଇବ୍ -୨୦୨୦ରେ ପ୍ରତିଷ୍ଠିତ ହୋଇଥିଲା ଯାହାର ମୂଳ ଉଦ୍ଦେଶ୍ୟ ହେଉଛି କାର୍ଯ୍ୟରତ ମହିଳା ହୁଅନ୍ତୁ ବା ଗୃହିଣୀ, ବ୍ରାଣ୍ଡ ଏବଂ ମହିଳାଙ୍କୁ ଏକାଠି କରିବା ।
ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭାବେ ଏକ୍ସପର୍ଟଙ୍କ ଦ୍ବାରା ମହିଳାଙ୍କ ବିଭିନ୍ନ ଶାରିରୀକ ସମସ୍ୟା ଯେପରିକି ହରମୋନ କ୍ଷେତ୍ରରେ ଅସନ୍ତୋଳନ, ବ୍ୟାୟାମ ନିତ୍ୟକର୍ମ, ମନଯୋଗୀ ଅଭ୍ୟାସ, ମାନସିକ ଚାପ ପରି ସମସ୍ୟା ଓ ତାର ସରଳ ସମାଧାନକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏହି ଚାରିଟେବୁଲ୍ ଇଭେଣ୍ଟ ମାଧ୍ୟମରେ ଆଦାୟ ହେବାକୁ ଥିବା ଅର୍ଥରାଶି ଜନଜାତି ମହିଳାଙ୍କ ଶାରିରୀକ ଉନ୍ନତିକରଣ, ତମାଖୁ ବର୍ଜନ ନିମିତ୍ତ ସ୍ବତନ୍ତ୍ର କାର୍ଯ୍ୟକ୍ରମ, ଜନଜାତି ବସବାସ କରୁଥିବା ଅଞ୍ଚଳରେ ନିଶୁଳ୍କ କର୍କଟ ସ୍କ୍ରିନିଂ ଶିବିର ଓ ବିଶୁଦ୍ଧ ଜଳ ବ୍ୟବସ୍ଥା ନିମନ୍ତେ ଖର୍ଚ୍ଚ କରାଯିବ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ