ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ଅନିୟମିତତାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ…

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତ ରାମଚନ୍ଦ୍ରପୁର ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ଅନିୟମିତତାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ । ଏ ନେଇ ବିଇଓ କାର୍ଯ୍ୟାଳୟରେ ଦାବି ରଖିଛନ୍ତି ଉଭୟ ପକ୍ଷ । ରାମଚନ୍ଦ୍ରପୁର ବିଦ୍ୟାଳୟରେ ରାଧାରାଣୀ ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ଖାଦ୍ୟ ଯୋଗାଇ ଆସୁଛନ୍ତି । ଗୋଟେ ପଟେ ରାଧାରାଣୀ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଖାଦ୍ୟ ସଠିକ୍ ମାନର ରହିଥିବା ଦୃଢୋକ୍ତି ପ୍ରକାଶ କରିବା ସହ ଯଦି ଖାଦ୍ୟ ନିମ୍ନମାନର ହୋଇଥାଏ ତେବେ ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିଜ ଆଡୁ ଦାବି କରିଛନ୍ତି । ଅପରପକ୍ଷେ ଖାଦ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି ।
ସୂଚନା ଅନୁସାରେ, ପୂର୍ବରୁ ବିଦ୍ୟାଳୟର ଖାଦ୍ୟ ଯୋଗାଉଥିବା ଜଣେ ଶିକ୍ଷକ ଏହାକୁ ବିରୋଧ କରି ବାରମ୍ବାର ସମ୍ପୃକ୍ତ ମହିଳା ଗୋଷ୍ଠୀର ମହିଳାଙ୍କୁ ଗାଳି ଗୁଲଜ କରୁଥିବାବେଳେ ବିଭିନ୍ନ ଆଳ ଦେଖାଇ ଖାଦ୍ୟର ମାନ ଠିକ୍ ହେଉନଥିବା ଦାବି କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ମହିଳା ଗୋଷ୍ଠୀ । ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ଏତାଦୃଶ କାର୍ଯ୍ୟକୁ ବିରୋଧ କରି ରାଧାରାଣୀ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନେ ରୋଷେଇ କରି ପିଲାଙ୍କୁ ଖାଇବାକୁ ଦେଉଥିବା ଖାଦ୍ୟର ମାନ ପରୀକ୍ଷା ଓ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ତଦନ୍ତ ପାଇଁ ଅଭିଯୋଗ କରିଛନ୍ତି । ତେବେ ଉଭୟଙ୍କ ଅଭିଯୋଗକୁ ଭିତ୍ତିକରି ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ବ୍ଲକ୍ ସହ ଶିକ୍ଷାଧିକାରୀ ଘଟଣାର ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି ।
ରିପୋର୍ଟ : ବାଲେଶ୍ବରରୁ ଭରତ କୁମାର ଦାସ