ନୀଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାପୀଠ, ବେଲଦାରେ ସ୍ବାଧୀନତା ଦିବସ ପାଳିତ

ବାଲେଶ୍ବର : ନୀଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟ, ବେଲଦାରେ ୭୭ତମ ସ୍ବାଧୀନତା ଦିବସ ମହାଡମ୍ବରରେ ପାଳିତ ହୋଇଯାଇଛି । ସିଆଁରୋଇ ଗ୍ରାମ ପଞ୍ଚାୟତର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା ଓ ଭୋଗରାଇ ପଞ୍ଚାୟତ ସମିତି ସଭ୍ୟ ତଥା ଦରଦୀ ଯୁବନେତା ଆଶିଷ କୁମାର ମହାନ୍ତି, ପ୍ରଧାନ ଶିକ୍ଷକ ସୁନାରାମ ବେହେରା, ସ୍କୁଲର ଶିକ୍ଷକ-ଶିକ୍ଷିକା, ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କଦ୍ୱାରା ପରେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତଃ ନୀଳକଣ୍ଠ ପତି ଓ ତାଙ୍କ ସୁପୁତ୍ର ସ୍ବର୍ଗତଃ ରାଜୀବ ଲୋଚନ ପତି, ସ୍ବର୍ଗତଃ ବିଜୟ କୁମାର ପତିଙ୍କ ଗାନ୍ଧିବାଦୀ ନୀତିର ପ୍ରଶଂସା କରି ବିଦ୍ୟାଳୟର ପ୍ରତିଷ୍ଠା ଓ ବିକାଶରେ ତାଙ୍କର ଯୋଗଦାନର ଇତିହାସ ବଖାଣିବା ସହ ସମୂହ ଦୃଷ୍ଟି ହିଁ ବିଦ୍ୟାଳୟ ଓ ସବୁ ସାମାଜିକ ଅନୁଷ୍ଠାନର ବିକାଶର ମୂଳପୁଞ୍ଜି ବୋଲି ଉଲ୍ଲେଖ କରିଥିଲେ ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜ ବକ୍ତବ୍ୟରେ କହିଥିଲେ ଯେ, ସ୍ୱାଧୀନତା ହେଉଛି ଉତ୍ତରଦାୟିତ୍ୱ ଓ ଶୃଙ୍ଖଳାର ଅନ୍ୟନାମ । ଏଥିରେ ଅନ୍ୟତମ ଅତିଥି ଦେବଦତ୍ତ ପତି ବିଦ୍ୟାଳୟର ବିକାଶ ପାଇଁ ସମସ୍ତଙ୍କ ଭାବଗତ ସଂହତି କାମନା କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ଓ ସଭାପତି ବିଷ୍ଣୁପଦ ଦାସଙ୍କର ସହଯୋଗ ପିଲାଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଥିଲା ।ରିପୋର୍ଟ : ବାଲେଶ୍ବରରୁ ରଞ୍ଜନ କୁମାର ଦେ