ସବୁଜ ଶକ୍ତିର ସାଉଦି ଆରବ ହେବାକୁ ଚାହୁଁଛି ଓଡ଼ିଶା: ହେମନ୍ତ ଶର୍ମା

ଭୁବନେଶ୍ୱର : ସିଆଇଆଇ ଓଡ଼ିଶା ପକ୍ଷରୁ ଭୁବନେଶ୍ୱରରେ ଗ୍ରିନ୍ ହାଇଡ୍ରୋଜେନ୍ ସମ୍ମିଳନୀ ୨୦୨୩ ଆୟୋଜିତ ହୋଇଯାଇଛି । ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ସମସ୍ତ ଅଂଶୀଦାରଙ୍କୁ ବ୍ୟବସାୟିକ ସଫଳତା ଉପରେ ଦୃଷ୍ଟି ଦେବାକୁ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି । ପ୍ରକଳ୍ପରେ ଜଡ଼ିତ ସବୁ ପକ୍ଷ ଯଦି କୌଣସି ଆୟ କରିବେ ନାହିଁ ତେବେ ଦୀର୍ଘମିଆଦୀ ଭିତିରେ ତାହା ସଫଳ ହୋଇପାରିବନି । ସମସ୍ତଙ୍କୁ ପ୍ରକଳ୍ପର ମୂଲ୍ୟ ନିହାତି ମିଳିବା ଜରୁରୀ ବୋଲି ସେ କହିଛନ୍ତି ।
ସବୁଜ ଶକ୍ତି କ୍ଷେତ୍ରରେ ନିବେଶକମାନଙ୍କୁ ସରକାର ପୁଞ୍ଜି ବ୍ୟୟ ଉପରେ ୩୦ ପ୍ରତିଶତ ସବସିଡି ଓ ବିଦ୍ୟୁତ ଶୁଳ୍କ ଉପରେ ରିହାତି ଭଳି ସୁବିଧା ପ୍ରଦାନ କରୁଛନ୍ତି । ଏହା ଜରିଆରେ ସେମାନଙ୍କ ଇବିଆଇଟିଡିଏରେ ୭.୨ ପ୍ରତିଶତ ବୃଦ୍ଧି ହେବ ବୋଲି ଆକଳନ କରାଯାଇଥିବା ଶିଳ୍ପ ବିଭାଗର ପ୍ରମୁଖ ସଚିବ କହିଛନ୍ତି । ତୈଳ କ୍ଷେତ୍ରରେ ସାଉଦି ଆରବର ଯେଭଳି ନାମ ରହିଛି ସବୁଜ ଶକ୍ତି କ୍ଷେତ୍ରରେ ମଧ୍ୟ ଓଡ଼ିଶା ସେଭଳି ସଫଳତା ପାଇବାକୁ ଚାହୁଁଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।

ଏହି ଅବସରରେ କୋଲକାତାରେ ଅବସ୍ଥାପିତ ବ୍ରିଟିଶ ହାଇ କମିସନର ନିକ୍ ଲୋ କହିଛନ୍ତି, ‘ଗ୍ରୀନ୍ ହାଇଡ୍ରୋଜେନ୍ କନଭେନସନ୍ ୨୦୨୩କୁ ଏକ ସହଯୋଗ ଦେଶ ଭାବେ ୟୁନାଇଟେଡ୍ କିଙ୍ଗଡମ୍ କୁ ସ୍ୱାଗତ କରିଥିବାରୁ ମୁଁ ଭାରତୀୟ ଶିଳ୍ପ ମହାସଂଘ ନିକଟରେ କୃତଜ୍ଞ । ୟୁକେ ଓ ଭାରତ ମିଳିତ ଭାବେ ଆମର ପୃଥିବୀକୁ ସୁରକ୍ଷିତ ରଖିବା ଏବଂ ପରିବେଶ ଦୃଷ୍ଟିରୁ ଅଧିକ ସ୍ଥାୟୀ ଓ ସମାବେଶୀ ଭବିଷ୍ୟତ ନିର୍ମାଣ କରିବା ପ୍ରତି ପ୍ରତିବଦ୍ଧ ରହିଛନ୍ତି । ନିକଟରେ ଟାଟାଷ୍ଟିଲ୍ ସହିତ ୟୁକେ-ଇଣ୍ଡିଆ ଅଭିଯାନ ‘ସ୍ପ୍ରିଂଟ୍ ଟୁ ଜିରୋ ଗ୍ରୀନ୍ ହାଇଡ୍ରୋଜେନ୍ ଫର୍ ଡିକାର୍ବୋନାଇଜେଶନ’ର ଶୁଭାରମ୍ଭ କରାଯାଇଛି ଯାହା ସ୍ଥାୟୀ ଭବିଷ୍ୟତ ପାଇଁ ଶିଳ୍ପ କ୍ଷେତ୍ରର ସବୁଜୀକରଣ ଲାଗି ଗ୍ରୀନ୍ ହାଇଡ୍ରୋଜେନ୍ ଟେକ୍ନୋଲୋଜିଗୁଡିକ ଉପରେ ଅଭିନବ ଗବେଷଣା ଓ ବିକାଶମୂଳକ ପ୍ରକଳ୍ପଗୁଡିକ ପାଇଁ ପାଣ୍ଠି ପ୍ରଦାନ କରିବ ।
କାର୍ଯ୍ୟକ୍ରମରେ ନିତି ଆୟୋଗର ଉପ ଉପଦେଷ୍ଟା ମନୋଜ କୁମାର ଉପାଧ୍ୟାୟ କହିଛନ୍ତି ଯେ, “ନିତି ଆୟୋଗ ପକ୍ଷରୁ ୨୦୭୦ ସୁଦ୍ଧା ଶକ୍ତି ସମ୍ମିଶ୍ରଣ ପାଇଁ ଦୀର୍ଘାବଧି ପ୍ରକଳ୍ପ ଏବଂ ନେଟ୍ ଜିରୋ ଟାର୍ଗେଟ୍ ପାଇଁ ରୋଡମ୍ୟାପ୍ ଲାଗି କ୍ଲାଇମେଟ୍ ଓ ମଡେଲିଂ ୟୁନିଟ୍ ସ୍ଥାପନ କରିଛି । ନିତି ଆୟୋଗ ଇଣ୍ଡିଆ କ୍ଲାଇମେଟ୍ ଆଣ୍ଡ ଏନର୍ଜି ମଡେଲିଂ ଫୋରମ୍ ପ୍ରତିଷ୍ଠା କରିଛି । ନିକଟରେ ନିତି ଆୟୋଗ ଆଇଏସ୍ଏସ୍, ୨୦୪୭ ଭର୍ସନ ୩.୦ ଏବଂ ଇଣ୍ଡିଆ କ୍ଲାଇମେଟ୍ ଆଣ୍ଡ ଏନର୍ଜି ଡ୍ୟାଶବୋର୍ଡ ଲଂଚ୍ କରିଥିଲା । ନିତି ଆୟୋଗ ସିସିୟୁଏସ୍ ନୀତି ଉପରେ କାର୍ଯ୍ୟ କରୁଛି ।
ଶକ୍ତି କ୍ଷେତ୍ରର ଉଦୀୟମାନ ଶିଳ୍ପକୁ ସହଯୋଗ ପ୍ରଦାନ କରିବା ଲାଗି ଆଇଆରଡିଏର ଅଧ୍ୟକ୍ଷ ପ୍ରଦୀପ କୁମାର ଦାସ ସରକାର ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ଆବେଦନ କରିଛନ୍ତି । ସେ କହିଛନ୍ତି ଯେ ଆମ ଆକଳନ ଅନୁସାରେ ୨୦୩୦ ସୁଦ୍ଧା ଶକ୍ତି କ୍ଷେତ୍ରରେ ୨୨ ଲକ୍ଷ କୋଟି ଟଙ୍କାର ନିବେଶ ଆବଶ୍ୟକ । ବ୍ୟାଙ୍କ ଓ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା ମିଳିତ ଭାବେ ସେହି ଆବଶ୍ୟକତା ପୂରଣ କରିବା ଦରକାର । ଆଇଆରଡିଏ ନିଅର-ଜିରୋ ଇଣ୍ଟ୍ରେଷ୍ଟ ରେଟ୍ ବା ପ୍ରାୟଃ ଶୂନ ସୁଧ ହାର ଆବଶ୍ୟକତାକୁ ପୂରଣ କରିବା ଲାଗି ‘ଲେଣ୍ଡ୍ ଇ୍ ଫୋରେକ୍ସ ଆଣ୍ଡ୍ ବରୋ ଇନ୍ ଫୋରେକ୍ସ’ର ମଡେଲ ଉପରେ କାର୍ଯ୍ୟ କରୁଛି ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ