ଦେଶର ଉନ୍ନତି ପାଇଁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ : ମାନ୍ୟବର ରାଜ୍ୟପାଳ

ଭୁବନେଶ୍ୱର : ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗୀ ସଂଘ (ଓଏଏସ୍ଏମ୍ଇ)ର ୩୭ତମ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ ଉଦଘାଟନ କରିଥିଲେ । ଏହି ଅବସରରେ ମାନ୍ୟବର ରାଜ୍ୟପାଳ, ସଂସ୍କୃତ ଭାଷାରେ ପାଠ କରି ଓଡ଼ିଶାର ଉନ୍ନତି ପାଇଁ ସମସ୍ତ ଉଦ୍ୟୋଗୀଙ୍କୁ ଆହ୍ବାନ କରିଥିଲେ । ତେବେ ଦେଶର ଉନ୍ନତି ପାଇଁ ଏମାନଙ୍କର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି ମଧ୍ୟ ରାଜ୍ୟପାଳ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଓଡିଶାର ଶିଳ୍ପ ନିର୍ଦ୍ଦେଶକ ଆଇଏଏସ୍ ମହମ୍ମଦ ସାଦିକ ଆଲାମ୍, ଏଚ୍ଓଓ ଏମ୍ଏସ୍ଏମ୍ଇ ଡିଏଫ୍ଓ ଏବଂ ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର କଟକ ଆଇଇଡିଏସ୍ ମିଳିତ ନିର୍ଦ୍ଦେଶକ ପି.କେ ଗୁପ୍ତା, ଓଏଏସ୍ଏମ୍ଇର ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଏଏସ୍ଏମ୍ଇର ସଦସ୍ୟ ଅଭିଳାଷ ଦାସ, ଆଦିକନ୍ଧ ରାଉତ, ପ୍ରତିଶ୍ରୁତି ଜେନା, ଜ୍ୟୋର୍ତିମୟୀ ମହାନ୍ତି, ଦେବ ପି ମିଶ୍ର ଏବଂ ଓଏଏସ୍ଏମ୍ଇର ମହାସଚିବ ସାତ୍ତ୍ୱିକ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ଓଡ଼ିଶା ରାଜ୍ୟର କୁଟୀର, ହସ୍ତଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସାଧାରଣ ଫୋରମ୍ ଯୋଗାଇଦେବାର ପରିକଳ୍ପନା ନେଇ ୧୯୮୫ ମସିହା ଅଗଷ୍ଟ ୧୨ ତାରିଖରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ସଂଘର ପ୍ରତିଷ୍ଠା କରାଯାଇଥିଲା । ଏହା ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ସର୍ବୋଚ୍ଚ ଶିଳ୍ପ ସଂଘ ଯାହା ରାଜ୍ୟର ଅଣୁ, କ୍ଷୁଦ୍ର, ମଧ୍ୟମ, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ ପାଇଁ ପ୍ରୟାସ କରୁଛି । ୩୭ତମ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ୨୦୨୩ ସମ୍ପର୍କରେ ଓଏଏସ୍ଏମ୍ଇର ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶ ଏଏସ୍ଏମ୍ଇକୁ ମାର୍କେଟିଂ ସହାୟତାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ ।

ଏଥିରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୧୪ ଜଣ ଶିଳ୍ପ ଉଦ୍ୟୋଗୀଙ୍କୁ ଓଏଏସ୍ଏମ୍ଇ ପୁରସ୍କାର ୨୦୨୩ ପ୍ରଦାନ କରାଯାଇଥିଲା । କଟକ ଶିଳ୍ପାଞ୍ଚଳସ୍ଥିତ ମେସର୍ସ ସିଦ୍ଧିଦୁର୍ଗା ଇଞ୍ଜିନିୟରଂର ମ୍ୟାନେଜିଂ ପାର୍ଟନର ପଣ୍ଡିତ ଚୈତନ୍ୟ କୁମାର ସାହୁ ତାଙ୍କ ଶିଳ୍ପକୁ ସଫଳତାର ସହ ଚଳାଇବାରେ ଦୀର୍ଘ ୪୫ ବର୍ଷର ନିରନ୍ତର ପ୍ରୟାସ ପାଇଁ ସତ୍ୟ ସ୍ୱାଇଁଙ୍କୁ ଓଏଏସ୍ଏମ୍ଇ ପକ୍ଷରୁ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ