କରଙ୍ଗାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ସଙ୍କୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ…

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସ୍ଥିତ କରଙ୍ଗାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ସଙ୍କୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ କରଙ୍ଗାମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ମେହେର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସଙ୍କୁଳ ସଂଯୋଜକ ରମେଶ କୁମାର ମେହେର, କରଙ୍ଗାମାଳ ସରସ୍ଵତୀ ଶିଶୁ ମନ୍ଦିର ସଭାପତି ତଥା ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଚୈତନ୍ୟ ହୋତା ଉପସ୍ଥିତ ରହି ଛାତ୍ରଛତ୍ରୀଙ୍କ ମାର୍ଗଦର୍ଶନ କରିଥିଲେ । ଏହି ମେଳାରେ ଶିଶୁ ବର୍ଗରେ ୪୦ ଟି ପ୍ରକଳ୍ପ ଏବଂ ବାଳ ବର୍ଗରେ ୧୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏଥିରେ ଶିଶୁମାନଙ୍କୁ ନେଇ ଗଣିତ ପ୍ରକଳ୍ପ, ଗଣିତ ପତ୍ରବାଚନ, ବିଜ୍ଞାନ ପତ୍ରବାଚନ, ସଂସ୍କୃତି ଜ୍ଞାନ ପତ୍ରବାଚନ, ଗଳ୍ପ କଥନ, ମୂର୍ତ୍ତି କଳା, ଗଣିତ ପ୍ରଶ୍ନ ମଞ୍ଚ, ବିଜ୍ଞାନ ପ୍ରଶ୍ନ ମଞ୍ଚ, ସଂସ୍କୃତି ଜ୍ଞାନ ପ୍ରଶ୍ନ ମଞ୍ଚ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଙ୍କୁଳସ୍ତରର ୮ ଟି ଶିଶୁ ମନ୍ଦିରର ୧୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ନିଜର ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ ।
ଏଥିରେ ପର୍ଯ୍ୟବେକ୍ଷକ ବିଚାରକ ଭାବେ ଦିନମଣି ମଣ୍ଡଳ, ସଞ୍ଜୟ ପଟେଲ, ବବୁଲ ମାଝି ଉପସ୍ଥିତ ଥିଲେ । ଏହି ଅବସରରେ ଅପରାହ୍ନରେ ଆୟୋଜିତ ଉତ୍ସବରେ କରଙ୍ଗାମାଳ ସରପଞ୍ଚ ରାମଲାଲ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ସଙ୍କୁଳ ପ୍ରମୁଖ ତୁଳସୀରାମ ମେହେର, ସମ୍ମାନିତ ଅତିଥି ଭାବରେ ଦେବରାଜ ମାଝି, ନନ୍ଦ ପାତ୍ର, ବାମଦେବ ଦାସ ପ୍ରମୁଖ ଯୋଗ ଦେଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।
ରିପୋର୍ଟ : ନୂଆପଡ଼ାରୁ କିର୍ତ୍ତୀ ଚନ୍ଦ୍ର ନାଗ