କ୍ରୋଧ କେବଳ ସଂସାର ଛାରଖାର କରେ, ଯୋଡି ପାରେନି…

କଟକ : ସ୍ବାମୀ-ସ୍ତ୍ରୀଙ୍କ କଳହ ଏବେ ନଅ ମାସର ଶିଶୁ କନ୍ୟା ପାଇଁ ଅଭିଶାପ ପାଲଟିଯାଇଛି । ଜୀବନ-ମରଣ ସହ ସଂଗ୍ରାମ କରୁଛି ନଅ ମାସର ଛୁଆ । ପାରିବାରିକ କଳହର କରୁଣ ପରିଣତି ଏତେ ଯେ ଭୟଙ୍କର ହୋଇପାରେ ତାହା କେହିହେଲେ କଳ୍ପନା କରିପାରିବେ ନାହିଁ । କ୍ରୋଧ ମଣିଷର ପରମ ଶତ୍ରୁ । କ୍ରୋଧରେ ମଣିଷ ସବୁବେଳେ ଭୁଲ୍ ନିଷ୍ପତ୍ତି ହିଁ ନେଇଥାଏ । ଏ କଥା ସମସ୍ତେ ଶୁଣିଛନ୍ତି । ତଥାପି ମଣିଷ କ୍ରୋଧର ବଶବର୍ତ୍ତୀ ।
କଟକ ସଦର ଅଞ୍ଚଳର ସଇଁଦାରେ ଘରୋଇ କଳିରେ ଅତିଷ୍ଠ ହୋଇ ନିଜ ନଅ ମାସର ଶିଶୁ କନ୍ୟାକୁ ଧରି ସିଢୁଆ ନଦୀକୁ ଡେଇଁପଡିଥିଲେ ବାପା ପ୍ରକାଶ ପ୍ରଧାନ । ଏହା ଦେଖି ପତ୍ନୀ ଚିତ୍କାର ମଧ୍ୟ କରିଥିଲେ । ସୌଭାଗ୍ୟବଶତଃ ଶିଶୁକନ୍ୟାକୁ ଉପସ୍ଥିତ ଲୋକେ ଜୀବନ୍ତ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଶିଶୁଟି ଏବେ ଗୁରୁତର ଅବସ୍ଥାରେ ଚିକିତ୍ସତ ହେଉଥିବାବେଳେ ସେପଟେ ବାପା ନିଖୋଜ ରହିଛନ୍ତି । ଲଗାତର ଭାବେ ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ ଖୋଜାଖୋଜି ଜାରି ରହିଛି ।
ସମ୍ପର୍କୀୟଙ୍କ କହିବା ଅନୁସାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ରୀତିମତ ଝଗଡା ହେଉଥିଲା । ତେବେ ଗତ ଶନିବାର ରାତିରେ ଝଗଡ଼ା ହେବା ସହ ପତ୍ନୀଙ୍କୁ ମାଡ ମାରିଥିଲେ ପ୍ରକାଶ ପ୍ରଧାନ । ସକାଳେ ବୁଝାମଣା ପରେ ଅପରାହ୍ନରେ ପାଖ ମନ୍ଦିର ବୁଲିଯିବାକୁ କହି ଶିଶୁକନ୍ୟା ଓ ସ୍ତ୍ରୀଙ୍କ ସହ ସେ ବାହାରିଥିଲେ । ହେଲେ ସିଢୁଆ ନଦୀବନ୍ଧରେ ସ୍ତ୍ରୀକୁ ଛାଡି କୁନି ଝିଅକୁ ଧରି ନଦୀକୁ ଡେଇଁପଡିଥିଲେ କଟକ କନ୍ଦପୁରପୁର ଅଞ୍ଚଳର ପ୍ରକାଶ ଚନ୍ଦ୍ର ପ୍ରଧାନ ।
ସାମାନ୍ୟ କଳି ପାଇଁ ଆଜି ଜଣେ କଅଁଳ ଶିଶୁ ବାପା ଛେଉଣ୍ଡ ହେବାକୁ ଯାଉଛି । ସେପଟେ ଜଣେ ପତ୍ନୀ ବିଧବା ହେବାକୁ ଯାଉଛି । କ୍ରୋଧ କେବଳ ନଷ୍ଟ ଏବଂ ଛାରଖାର କରିପାରେ ।
ରିପୋର୍ଟ : ସାଲେପୁରରୁ ଅଭୟ ଜେନା