୬ ବର୍ଷର ପୁତ୍ର ଏବଂ ତିନି ମାସର କନ୍ୟା ସନ୍ତାନକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଦୁଇ ଦମ୍ପତ୍ତି…

ଗଜପତି : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୪୧ ଓ ୪୨ତମ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶର ଦୁଇଟି ପୃଥକ ପୃଥକ ଦମ୍ପତ୍ତି । ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ତତ୍ବାବଧାନରେ ଏହି ଦମ୍ପତ୍ତିଙ୍କୁ ଶିଶୁଙ୍କୁ ହସ୍ତାନ୍ତର କରାଯାଇଛି । ଜିଲ୍ଲାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର “Nissan Shalom”, ପାରଳାଖେମୁଣ୍ଡିର ଆଡପସନ୍ ଲାଗି କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଉକ୍ତ ଶିଶୁ ଦ୍ବୟଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତି ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ । ଯଦ୍ବାରା ଶିଶୁମାନେ ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବେ ।

ଦୀର୍ଘ ତିନି ବର୍ଷ ଧରି ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶ ରାଜ୍ୟର ଦୁଇଟି ଦମ୍ପତ୍ତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଉପରୋକ୍ତ ଦମ୍ପତ୍ତି ଶାରିରୀକଭାବେ ଶିଶୁମାନଙ୍କୁ ପସନ୍ଦ କରି ନେବା ପାଇଁ ସ୍ଥିର କରିଥିଲେ । ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଗଜପତି ପ୍ରସ୍ତୁତ କରିଥିଲେ । ପରେ ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଶିଶୁମାନଙ୍କୁ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶର ପୃଥକ ପୃଥକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରାଯାଇଛି ।

ଏହି ଶିଶୁ ମାନଙ୍କ ମଧ୍ୟରେ ଜଣେ ୬ ବର୍ଷର ପୁତ୍ର ସନ୍ତାନ ଏବଂ ତିନି ମାସର କନ୍ୟା ସନ୍ତାନ ରହିଛନ୍ତି । ଶିଶୁମାନଙ୍କୁ ପାଇ ଦମ୍ପତ୍ତି ଦ୍ବୟ ବେଶ୍ ଖୁସି ଥିବା ଜଣାପଡିଛି । ଶିଶୁଦ୍ବୟଙ୍କୁ ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା