ନୃତ୍ତାଙ୍ଗରେ ଉଡିଲା ବିଜେଡି ବାନା, ଭାଙ୍ଗିଲା ପଦ୍ମ ଦୁର୍ଗ…

ସାଲେପୁର : ମାହାଙ୍ଗାରେ ଦୁଇଟି ପଞ୍ଚାୟତ ଉପନିର୍ବାଚନୀ ଫଳାଫଳ ଘୋଷିତ ହୋଇଛି । ଗୋଟିକରେ ବିଜେଡି ଓ ଅନ୍ୟଟିରେ ବିଜେପି ବିଜୟ ହାସଲ କରିଛି । ତେବେ ବହୁ ଚର୍ଚ୍ଚିତ ନୃତ୍ତାଙ୍ଗ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଅନୁଷ୍ଠିତ ଉପନିର୍ବାଚନ ଫଳାଫଳରେ ବିରୋଧି ବିଜେପି ଓ କଂଗ୍ରେସକୁ ଶକ୍ତ ଧକ୍କା ମିଳିଛି । ଲଗାତରଭାବେ କଂଗ୍ରେସ ଓ ବିଜେପି ଦଖଲରେ ଥିବା ଏହି ପଞ୍ଚାୟତକୁ ଏବେ ବିଜେଡି ଦଖଲକୁ ନେଇଛି ।
ଦିନେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା ନୃତ୍ତାଙ୍ଗ ପଞ୍ଚାୟତ । ମାହାଙ୍ଗା ଡବଲ ମର୍ଡର ଘଟଣା ଏକଦା ଓଡ଼ିଶା ରାଜନୀତିରେ ଚହଳ ପକାଇଥିଲା । ପୂର୍ବତନ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ସରପଞ୍ଚ କୁଳମଣି ବରାଳ କଂଗ୍ରେସ ରାଜନୀତିରୁ ଦୂରେଇ ଗଲାପରେ ବିଜେପିରେ ସାମିଲ ହୋଇଥିଲେ । ତାଙ୍କ ପୁଅ ରମାକାନ୍ତ ବରାଳ ମଧ୍ୟ ସରପଞ୍ଚ ଓ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା ।
ଚଳିତ ପଞ୍ଚାୟତ ଉପନିର୍ବାଚନରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ସମର୍ଥିତ ପ୍ରାର୍ଥୀ ପବିତ୍ର ମୋହନ ବରାଳ ୧୨୭ ଖଣ୍ଡ ଅଧିକ ଭୋଟ ବ୍ୟବଧାନରେ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବରାଳଙ୍କୁ ହରାଇ ବିଜୟ ହାସଲ କରିଛନ୍ତି । ତେବେ ନୃତ୍ତାଙ୍ଗରେ ବିଜେଡିର ବିଜୟ ପରେ ବିଜେପିର ଦୁର୍ଗ ଭୁଷୁଡି ପଡିବା କଥା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି ।
ସେହିପରି ମାହାଙ୍ଗା ବ୍ଲକ ଗୋତରା ପଞ୍ଚାୟତ ଉପନିର୍ବାଚନରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସୂର୍ଯ୍ୟକାନ୍ତ ପଣ୍ଡା ବିଜେଡ଼ି ସମର୍ଥିତ ପ୍ରାର୍ଥୀ ପ୍ରହଲ୍ଲାଦ ପ୍ରଧାନଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି ।

ରିପୋର୍ଟ : ସାଲେପୁରରୁ ଅଭୟ ଜେନା