ପଞ୍ଚଲିଙ୍ଗେଶ୍ବର ପୀଠର ରୂପାନ୍ତର ପାଇଁ ଖର୍ଚ୍ଚ ହେବ ୧୫ କୋଟି ୫୮ ଲକ୍ଷ ଟଙ୍କା…

ବାଲେଶ୍ବର : ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ହେବ ରୂପାନ୍ତର । ଏଥିପାଇଁ ଖର୍ଚ୍ଚ ହେବ ୧୫ କୋଟି ୫୮ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ଏ ନେଇ ଅର୍ଥ ମଞ୍ଜୁର କରିଛନ୍ତି । ଏହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି । ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିବାବେଳେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ମଧ୍ୟ ଧନ୍ୟବାଦ ଦିଆଯାଇଛି । ସେପଟେ କଂଗ୍ରେସ କହୁଛି ଅବହେଳିତ ପଞ୍ଚଲିଙ୍ଗେଶ୍ଵର ଶୈବପୀଠକୁ ଲୋକଲୋଚନକୁ ଆଣିଛି କଂଗ୍ରେସ । ବର୍ତ୍ତମାନ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଏପରି ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ଗତ ଜୁନ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ ପାଣ୍ଡିଆନ ବାଲେଶ୍ବର ଗସ୍ତ କରି ପଞ୍ଚଲିଙ୍ଗେଶ୍ବର ପୀଠ ପରିଦର୍ଶନ କରିଥିଲେ । ମନ୍ଦିରର ସେବାୟତ, ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ପରେ ଏହାର ରୂପାନ୍ତର ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପଞ୍ଚଲିଙ୍ଗେଶ୍ଵର ରୂପାନ୍ତର ପାଇଁ ହୋଇଥିବା ମାଷ୍ଟରପ୍ଲାନ ଅନୁଯାୟୀ ସଂପୂର୍ଣ୍ଣ ପ୍ରକଳ୍ପକୁ ୪ଟି ଜୋନ୍ରେ ବିଭକ୍ତ କରାଯାଇ ବିକଶିତ କରାଯିବ । ଏହି ୪ଟି ଜୋନ୍ ହେଲା – ବଡମ୍ବା ମନ୍ଦିର, ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ଉନ୍ନତି କରଣ, ଜଳପ୍ରପାତ ଅଞ୍ଚଳ, ସପିଂ କମ୍ପ୍ଲେକ୍ସ ଓ ପାର୍କ ଏବଂ ପାନ୍ଥଶାଳା ଅଞ୍ଚଳ ବିକାଶ ।
ପ୍ରଥମେ ବଡମ୍ବା ମନ୍ଦିରରେ ଭକ୍ତଙ୍କ ପାଇଁ ଅଧିକ ସୁବିଧା କରାଯାଇ ପଥର ପାହାଚ, ବେଞ୍ଚ, ୱାଚ ଟାୱାର, ବସିବା ସ୍ଥାନ, ଗ୍ରାନାଇଟରେ ଚଲାପଥ ଆଦି ବିକଶିତ କରାଯିବ । ଜୋନ୍-୨ରେ ପଞ୍ଚଲିଙ୍ଗେଶ୍ବର ମନ୍ଦିର ଓ ଜଳପ୍ରପାତ ଅଞ୍ଚଳର ବିକାଶ ହେବ । ସମଗ୍ର ପୀଠ ପରିସର ପୁନଃବିକାଶ ସହିତ ଗୁମ୍ଫା ଓ ଯଜ୍ଞ ମଣ୍ଡପର ପ୍ରବେଶ ପଥ ନିର୍ମାଣ କରାଯିବ । ପୂଜାର୍ଚ୍ଚନା ସ୍ଥାନର ପରିବର୍ଦ୍ଧନ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବ । ଏହାଛଡା ଶୌଚାଳୟ ଓ ପରିଧାନ ବଦଳ ଗୃହ ମଧ୍ୟ ନିର୍ମାଣ କରାଯିବ । ତୃତୀୟ ଜୋନରେ ସପିଂ କମ୍ପ୍ଲେକ୍ସ ନିର୍ମାଣ କରାଯିବ ଏବଂ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ପାର୍କ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ । ଆଉ ଶେଷରେ ପାନ୍ଥଶାଳା ଅଞ୍ଚଳରେ ଗାଡିମଟର ପାର୍କିଂ ତଥା ପିକନିକ୍ ପାଇଁ ପିଣ୍ଡିର ବ୍ୟବସ୍ଥା ମଧ୍ୟ କରାଯିବ । ସେଠାରେ ଫୁଡକୋର୍ଟ, ଜଳକ୍ରୀଡା ଓ ପିଲାମାନଙ୍କ ଖେଳ ପାଇଁ ସୁବିଧା କରାଯିବ ।
ପଞ୍ଚଲିଙ୍ଗେଶ୍ବର ଶୈବ ପୀଠ ରାଜ୍ୟର ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ । ଜଙ୍ଗଲ, ପାହାଡ, ଜଳପ୍ରପାତରେ ଭରା ମନୋରମ ପରିବେଶ ସାଙ୍ଗକୁ ପୀଠ ପରିସର ଅଧିକ ଆକର୍ଷଣୀୟ ହୋଇ ଗଢିଉଠିଛି । ପ୍ରତିଦିନ ବିଭିନ୍ନ ସ୍ଥାନରୁ ଶହ ଶହ ପର୍ଯ୍ୟଟକ ଏହି ପୀଠକୁ ଆସି ଆଧ୍ୟାତ୍ମିକ ତଥା ମାନସିକ ଶାନ୍ତି ଲାଭ କରିଥାନ୍ତି । ଏ ପୀଠର ବିକାଶ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ ।
ବିଜେଡି ପକ୍ଷରୁ ସ୍ଥାନୀୟ କାର୍ଯ୍ୟାଳୟରେ ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଛନ୍ତି ।
ନୀଳଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ମନ୍ଦିର ପର୍ଯ୍ୟଟନ ସ୍ଥଳୀର ବିକାଶ ସହିତ ପଞ୍ଚଲିଙ୍ଗେଶ୍ଵର ଶୈବପୀଠର ଉନ୍ନତିକରଣ ନିମନ୍ତେ ୨୦୨୦ ମସିହାରେ ବିଧାୟକ ପତ୍ର ଲେଖି ଦାବି କରିଥିଲେ । ତାହାକୁ ଏବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ କରିଥିବାରୁ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଧାୟକ । ସେପଟେ ବିଜେଡି ପକ୍ଷରୁ ତାପସ ପରିଡା ଏହା କଣ ବଡ କଥା ବୋଲି କହିଛନ୍ତି ।
ରିପୋର୍ଟ : ନୀଳଗିରିରୁ ସତ୍ୟାନନ୍ଦ ପାତ୍ର