ମଦ ନିଶାରେ ପତ୍ନୀକୁ ଶେଷ କରିଦେଲା ନରହନ୍ତା ସ୍ବାମୀ

ହିନ୍ଦୋଳ : ମଦ୍ୟପ ସ୍ବାମୀର ଉନ୍ମକ୍ତ କାଣ୍ଡ । ମଦ ନିଶାରେ ନେଇଗଲା ପତ୍ନୀର ଜୀବନ । ହିନ୍ଦୋଳ ଉପଖଣ୍ଡ ବାଲିମୀ ଥାନା ଅନ୍ତର୍ଗତ ଦୁଦୁରକୋଟ ଗ୍ରାମ ବାଘୁଆ ସାହିରେ ଜଣେ ମଦ୍ୟପ ନିଜ ପତ୍ନୀଙ୍କୁ ଲୁହା ଛଡ଼ରେ ମାଡ ମାରି ହତ୍ୟା କରିଥିବା ଜଣାପଡିଛି । ଏ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ସେହି ଗ୍ରାମର ପ୍ରତାପ ସାମଲ ନାମକ ଜଣେ ବ୍ୟକ୍ତି ମଦ୍ୟପାନ କରି ବିଳମ୍ବିତ ରାତ୍ରିରେ ଘରକୁ ଫେରିଥିଲେ । ପରେ ସେ ତାଙ୍କ ପତ୍ନୀ ମୀନତି ସାମଲଙ୍କୁ ତରକାରୀ ଗରମ କରି ଖାଇବାକୁ ଦେବାକୁ କହିଥିଲା । ଏ ନେଇ ଦୁହିଁଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା । ପରେ ପ୍ରତାପ ରାଗରେ ଉତ୍ତ୍ୟକ୍ତ ହୋଇ ମୀନତିଙ୍କ ମୁଣ୍ଡକୁ ଏକ ଲୁହା ଛଡ଼ରେ ଶକ୍ତ ପ୍ରହାର କରିଥିଲା । ଫଳରେ ଘଟଣା ସ୍ଥଳରେ ମୀନତିଙ୍କ ମୃତ୍ୟୁ ହୋଇଥିଲା । ଏ ନେଇ ତାଙ୍କର ପୁଅ ପୋଲିସ ଆଗରେ ବୟାନ ଦେଇଥିବା ସୂଚନା ମିଳିଛି ।
ଅପରପକ୍ଷେ ମୀନତିଙ୍କ ବାପା ଏ ନେଇ ବାଲିମୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ବାଲିମୀ ଥାନା ପୋଲିସ ଗ୍ରାମରେ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ କରିବା ସହ ମୀନତିଙ୍କ ମୃତଦେହକୁ ଜବତ କରି ହିନ୍ଦୋଳ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି । ଥାନା ପକ୍ଷରୁ ଏ ନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଉଦ୍ୟମ ଜାରି ରହିଛି l ରିପୋର୍ଟ : ଢେଙ୍କାନାଳରୁ ସୁଜିତ କୁମାର ବେହେରା