କାମରେ ଆସୁନି କୋଭିଡ୍ ହସ୍ପିଟାଲ । ଟ୍ରମା କେୟାର ସେଣ୍ଟରରେ ପରିଣତ କରିବାକୁ ଅନୁରୋଧ କଲେ ଅଞ୍ଚଳବାସୀ…

ସାଲେପୁର : ବନ୍ଦ ହୋଇଯିବ କୁଳିଆ କୋଭିଡ୍ ହସ୍ପିଟାଲ । ପାଞ୍ଚ କୋଟି ଟଙ୍କା ଖର୍ଚ୍ଚ ବିନିମୟରେ ନିର୍ମିତ ଏହି କୋଭିଡ୍ ହସ୍ପିଟାଲ ଏବେ ଆଉ ରୋଗୀଙ୍କ କାମରେ ଆସୁନି । ଏପରିକି ହସ୍ପିଟାଲର ଯନ୍ତ୍ରାଂଶଗୁଡିକ ପାର୍ଟ ପାର୍ଟ ହୋଇ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଣ୍ଟନ କରାଯାଉଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ପଡ଼ିଆ ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଏବେ ବନ୍ଦ ହୋଇଯିବ । ୨୦୨୨ ମସିହା ଜାନୁଆରୀ ୭ ତାରିଖରେ ଏହି ହସ୍ପିଟାଲଟି ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୪ ଜଣ ସୁରକ୍ଷା କର୍ମୀ ଏହାର ଜଗାରଖା କାମ କରୁଛନ୍ତି । ଏବେ ଏହି କୋଭିଡ୍ ହସ୍ପିଟାଲରୁ ବିଭିନ୍ନ ପ୍ରକାରର ଯନ୍ତ୍ରାଂଶ ସହ ଏସି ଅନ୍ୟତ୍ର ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି । ଆମେରିକାନ୍ଇଣ୍ଡିଆ ଫାଉଣ୍ଡେସନ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ବର୍ଷକ ତଳେ ଏହି ଡାକ୍ତରଖାନାରେ ଖର୍ଚ୍ଚ ହୋଇଥିଲା ପାଖାପାଖି ପାଞ୍ଚ କୋଟି ଟଙ୍କା, ଯାହା ଏବେ ଆଉ ଲୋକଙ୍କ କାମରେ ଆସୁନି ।
ସ୍ଥାନୀୟ ଲୋକଙ୍କ ଦାବି ଅନୁଯାୟୀ ଏହି କୋଭିଡ୍ ହସ୍ପିଟାଲକୁ ଭାଙ୍ଗି ଅନ୍ୟତ୍ର ନିଆଯାଇ ଏଠାରେ ଏକ ଦୁର୍ଘଟଣା ଜନିତ ଚିକିତ୍ସା କେନ୍ଦ୍ର ବା ଟ୍ରମା କେୟାର ସେଣ୍ଟର କରାଯାଇଥିଲେ ଅନେକ ଲୋକଙ୍କ ଦୁର୍ଘଟଣା ସମୟରେ ସାହାଯ୍ୟ ହୋଇପାରି ଥାଆନ୍ତା । କାରଣ ଏହି ହସ୍ପିଟାଲକୁ ସଂଯୋଗ କରି କଟକ-ଚାନ୍ଦବାଲି ରାସ୍ତାଟି ଯାଇଛି । ଅନେକ ସମୟରେ ଏହି ରାସ୍ତାରେ ଛୋଟ-ବଡ଼ ଦୁର୍ଘଟଣାମାନ ଘଟିଥାଏ । ତେଣୁ ଏହାକୁ ଟ୍ରମା କେୟାର ସେଣ୍ଟରରେ ପରିଣତ କରାଗଲେ ଏଥିରେ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କ ଆଶୁ ଚିକିତ୍ସା ହୋଇପାରନ୍ତା । ନିଶ୍ଚିନ୍ତକୋଇଲି, ମାହାଙ୍ଗା, ସାଲେପୁର, କିଶନନଗର ଆଦି ଅଂଚଳର ଲୋକମାନଙ୍କୁ କୋଭିଡ୍ ଚିକିତ୍ସା ସେବା ଯୋଗାଇଦେବା ପାଇଁ ପ୍ରତିଷ୍ଠା କରାଯାଇଥିଲା ଏହି କୋଭିଡ୍ ହସ୍ପିଟାଲ । ହେଲେ ଦୀର୍ଘ ଏକ ବର୍ଷ ହେବ ଏହା କୌଣସି ରୋଗୀଙ୍କ କାମରେ ଆସିନଥିଲା । ତେଣୁ ଲୋକଙ୍କ ଦାବି ମୁତାବକଲ ଏହି ହସ୍ପିଟାଲକୁ ଟ୍ରମା କେୟାର ସେଣ୍ଟରରେ ପରିଣତ କରାଗଲେ ଭବିଷ୍ୟତରେ ଅନେକ ରୋଗୀ ଦୁର୍ଘଟଣା ଜନିତ ଆଶୁ ଚିକିତ୍ସା ପାଇପାରିବେ ବୋଲି ଅଂଚଳବାସୀ ଅନୁରୋଧ କରିଛନ୍ତି ।
ରିପୋର୍ଟ : ସାଲେପୁରରୁ ଅଭୟ ଜେନା