ମହାମହିମଙ୍କ ଓଡିଶାଗସ୍ତକୁ ନେଇ ତତ୍ପର ଓଡିଶା ପୋଲିସ…

ବ୍ୟୁରୋ ରିପୋର୍ଟ : ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ବିମାନ ବନ୍ଦରରୁ ଓହ୍ଲାଇ ମହାମହିମ ସ୍ୱତନ୍ତ୍ର କାରକେଡରେ ସିଧା ରାଜଭବନ ଯିବେ । ସେଠାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ରାଜଭବନ ପରିସରରେ ନିର୍ମାଣ ହେବାକୁ ଥିବା ନୂଆ କୋଠାର ଶିଳାନ୍ୟାସ କରିବେ । ପରେ ରାଜଭବନଠାରେ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ ଭେଟିବେ ଓ ସେଠାରେ ରାତ୍ରି ଯାପନ କରିବେ ।
୨୬ ତାରିଖରେ କଟକ ଚଣ୍ଡିମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ଓ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ । ସେହିଦିନ କଟକ ଉଚ୍ଚନ୍ୟାୟଳୟର ୭୫ ତମ ପ୍ରତିଷ୍ଠା ଦିବସ ସମାରୋହ, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ ।
୨୭ ତାରିଖରେ ଭୁବନେଶ୍ବରର ତମାଣ୍ଡୋର ଦଶବାଟିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର ସୂଚନା ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ କାରକେଡ ରିହର୍ସସାଲ ମଧ୍ୟ କରାଯାଇଛି । ବ୍ଲୁ-ବୁକ୍ ଗାଇଡଲାଇନ ଆଧାରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୩୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାଷ୍ଟ୍ରପତିଙ୍କ କାରକେଡ ଦାୟିତ୍ୱରେ ଏସପି ରାଙ୍କ ଅଧିକାରୀ ରହିବେ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ଏହା ସହ ୧୨ ଜଣ ଆଡ଼ସିନାଲ ଡିସିପି, ୨୫ ଜଣ ଏସିପି, ୪୦ ଜଣ ଇନସପେକ୍ଟର, ୧୨୦ ଜଣ ଏସଆଇ ଓ ଏଏସଆଇ ନିୟୋଜିତ ହୋଇଥିବା ସୂଚନା ମିଳିଛି ।