ଜରାଜୀର୍ଣ୍ଣ ଅବସ୍ଥାରେ ଓଡିଶାର ବରପୁତ୍ରଙ୍କ ପ୍ରତିମୂର୍ତ୍ତି…

ହିନ୍ଦୋଳ : ଓଡିଶାରେ ମିଳୁନି ବରପୁତ୍ରଙ୍କୁ ସମ୍ମାନ । ବରପୁତ୍ରଙ୍କ ସୁଯୋଗ୍ୟ ସନ୍ତାନ ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟର ଶାସନ ଭାରରେ ରହି ମଧ୍ୟ ନିଜ ପିତାଙ୍କୁ ସମ୍ମାନ ଦେବାର ବିଫଳ ହୋଇଛନ୍ତି । ଏ ଦୃଶ୍ୟ ହେଉଛି ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆବଗ ପଞ୍ଚାୟତରେ ଥିବା ସିଦ୍ଧେଶ୍ଵର ଉଚ୍ଚ ବିଦ୍ୟାଳୟର । ଏହି ବିଦ୍ୟାଳୟ ପରିସରରେ ରାଜନୈତିକ ଅଭିସନ୍ଧି ରଖି ବିଗତ ୨୦୦୬ ମସିହାରେ ପ୍ରତିଷ୍ଠା ହୋଇଥିଲା ବରପୁତ୍ର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି । ସେତେବେଳେ ପୂର୍ବତନ ହିନ୍ଦୋଳ ବିଧାୟିକା ଅଞ୍ଜଳୀ ବେହେରା ଏହାକୁ ଉନ୍ମୋଚନ କରିଥିଲେ । ହେଲେ ବର୍ତ୍ତମାନ ବିଜୁବାବୁଙ୍କ ଏହି ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ପଡି ରହିଛି । ହିନ୍ଦୋଳ ଏନ୍ଏସି ବିଜେଡି ଦଖଲରେ ଥିବାବେଳେ ବିଜୁବାବୁଙ୍କ ଏଭଳି ଦୟନୀୟ ପ୍ରତିମୂର୍ତ୍ତି ବୁଦ୍ଧିଜୀବୀ ତଥା ବିଜୁପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷର କାରଣ ପାଲଟିଛି ।
ଅଞ୍ଚଳବାସୀଙ୍କ କହିବା କଥା ହେଲା, ଶ୍ରୀମତୀ ଅଞ୍ଜଳୀ ବେହେରା ବିଧାୟିକା ଥିବା ସମୟରେ ସେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲେ । ହେଲେ ବର୍ତ୍ତମାନର ବିଧାୟିକା, ବିଜେଡି ଦଳ ପ୍ରତି ଥିବା କର୍ତ୍ତବ୍ୟକୁ ଭୁଲି କେବଳ ନିଜ ସ୍ବାର୍ଥରେ କାମ କରିଚାଲିଛନ୍ତି । ସୂଚନା ଅନୁସାରେ, ନିକଟରେ ଫେସବୁକ୍ କମେଣ୍ଟକୁ ନେଇ ଯୁବ ସମାଜସେବୀଙ୍କୁ ବିଧାୟିକାଙ୍କ ଧମକ ଅଡିଓ ଭାଇରାଲ ହେବା ପରେ ଲୋକଙ୍କ ମନରେ ବିଧାୟିକା ସୀମାରାଣୀ ନାୟକଙ୍କ ପ୍ରତି ଏକ ନାକାରତ୍ମକ ପ୍ରତିଛବି ସୃଷ୍ଟି ହୋଇଛି । ଆଉ ଏବେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜରାଜୀର୍ଣ୍ଣ ଅବସ୍ଥାରେ ପଡିବା ଭଳି ଦୃଶ୍ୟ ପ୍ରତ୍ୟେକ ବିଜୁପ୍ରେମୀଙ୍କୁ ବ୍ୟଥିତ କରିଛି ।
ଅପରପକ୍ଷେ ଏହି ବିଦ୍ୟାଳୟ ବ୍ଲକଗ୍ରାଣ୍ଟ ହୋଇଥିବାରୁ ରକ୍ଷଣାବେକ୍ଷଣା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ସହାୟତା ଆସୁନଥିବା କହିଛନ୍ତି ପ୍ରଧାନ ଶିକ୍ଷକ । ଅପରପକ୍ଷେ ଖେଳ ଶିକ୍ଷକ ସାମ୍ବାଦିକଙ୍କ ପ୍ରଶ୍ନରେ ଚିହିଁକି ଉଠିବା ସହ ସାମ୍ବାଦିକଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଆମ ମାଟିର ବୀରପୁରୁଷଙ୍କୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ । ଯଦି ସେଥିରେ ତ୍ରୁଟି ବିଚ୍ୟୁତି ଦେଖାଦିଏ ତେବେ ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିବାର ଅଧିକାର ସାମ୍ବାଦିକଙ୍କର ରହିଛି । ମାତ୍ର ସାମ୍ବାଦିକଙ୍କ ଏହି ପ୍ରଶ୍ନର ଉତ୍ତର ଦେବା କିମ୍ବା ନ ଦେବା ସେ ଅଧିକାର ମଧ୍ୟ ଜନତାଙ୍କର ରହିଛି । ଏଭଳି ସ୍ଥଳେ ସାମ୍ବାଦିକଙ୍କ ଅସମ୍ମାନ ଆଦୌ ଗ୍ରହଣୀୟ ନୁହେଁ ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ୍ କୁମାର ବେହେରା