ମଦ ଦୋକାନକୁ ସ୍ଥାନାନ୍ତର ଦାବି, ତେଜିଲେ ମହିଳା ଗୋଷ୍ଠୀ…

ଜଗତସିଂହପୁର : ମଦ ଦୋକାନକୁ ଖୋଲା ବିରୋଧ କରୁଛନ୍ତି ମହିଳା । ଗାଁର ମୁଖ୍ୟ ରାସ୍ତା ଦେଇ ହୋଇପାରିବନି ମଦ ଦୋକାନ । ଦୋକାନ ସ୍ଥାନାନ୍ତର ନ ହେଲେ ହେବ ଆନ୍ଦୋଳନ । ଜଗତସିଂହପୁର ଜିଲା ବାଲିକୁଦା ଥାନା କଂସାରୀ କୁଦରେ ନୂତନ ମଦ ଦୋକାନ ଖୋଲିବାକୁ ନେଇ ବିରୋଧ କରି ସମ୍ପୃକ୍ତ ଅଞ୍ଚଳର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହିତ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ବାଲିକୁଦା ବ୍ଲକର ଗୋଡାରେ ଥିବା ମଦ ଦୋକାନ କୌଣସି କାରଣରୁ ବାଲିକୁଦାକୁ ସ୍ଥାନାନ୍ତର କରାଯାଉଥିବା ବେଳେ କଂସାରୀକୁଦ, ଗୋପାଳପୁର, ନରସିଂହପୁର ଆଦି ସ୍ଥାନୀୟ ଅଞ୍ଚଳର ଲୋକେ ଏହାକୁ ବିରୋଧ କରିଛନ୍ତି ।
ବାଲିକୁଦାକୁ ବଜାର, ମେଡିକାଲ, ଥାନା, ସ୍କୁଲ, କଲେଜକୁ ଯିବା ଆସିବା ପାଇଁ କଂସାରୀକୁଦ ରାସ୍ତା ଏକମାତ୍ର ରାସ୍ତା ହୋଇଥିବା ବେଳେ ମଦ ଦୋକାନ ହେଲେ ଏହା ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରଭାବ ପକାଇବ । ଫଳରେ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେବେ । ପୂର୍ବରୁ ଏ ବାବଦରେ ସ୍ଥାନୀୟ ଜନ ସାଧାରଣ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଅବକାରୀ ବିଭାଗ ପର୍ଯ୍ୟନ୍ତ ସ୍ଥାନାନ୍ତର ପାଇଁ ଦାବି କରିଆସୁଥିଲେ ହେଁ ତାଙ୍କ କଥାକୁ କେହି କର୍ଣ୍ଣପାତ ନକରିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମହିଳା । ବାଲିକୁଦା ବଜାର ନିକଟରୁ ପୂର୍ବରୁ ଥିବା ଏକ ମଦ ଦୋକାନ ଏବଂ ଏବେ ନୂଆ ହେବାକୁ ଥିବା ମଦ ଦୋକାନ ଉଭୟକୁ ସ୍ଥାନାନ୍ତର ପାଇଁ ଦାବି କରିଛନ୍ତ ଆନ୍ଦୋଳନକାରୀ ମହିଳା । ଯଦି ତାଙ୍କର ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି କହିଛନ୍ତି ମହିଳା ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ