ବର୍ଷା ପରେ ଛତିଶଗଡର ମନମାନି । ହୀରାକୁଦକୁ ପଶୁଛି ୭୯ ହଜାର କ୍ୟୁସେକ୍ ପାଣି

ସମ୍ବଲପୁର : ପୁଣି ଛତିଶଗଡ଼ ତାର ମନମାନି ଦେଖାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଛତିଶଗଡ଼ କଲମା ବ୍ୟାରେଜର ୬୪ଟି ଗେଟ୍ ଖୋଲି ଦେଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି ।
ହୀରାକୁଦ ଜଳଭଣ୍ଡାରକୁ ପ୍ରାୟ ୭୯ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ତେବେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩. ୬୭ ଫୁଟ୍ ପାର କରିଛି ।
ପ୍ରତିବର୍ଷ ମୌସୁମୀ ସମୟରେ ଛତିଶଗଡ଼ ଏଭଳି ମନମାନି କରିଥାଏ । ଅଣ ମୌସୁମୀ ସମୟରେ କଲମା ବ୍ୟାରେଜର ସବୁ ଗେଟ୍ ବନ୍ଦ କରିଦିଏ ଏବଂ ମୌସୁମୀ ସମୟରେ ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ କଲମା ବ୍ୟାରେଜର ସବୁ ଗେଟ୍ ଖୋଲିଦିଏ ।
ତେବେ ଚଳିତଥର ମହାନଦୀ ଟ୍ରିବ୍ୟୁନାଲ ଟିମର ଯାଞ୍ଚ ସମୟରେ ନିଜ ଛବିକୁ ସ୍ବଚ୍ଛ ରଖିବାକୁ ଯାଇ ଛତିଶଗଡ଼ ସରକାର ଚାଲାକି କରି କିଛି ଗେଟ୍ ଖୋଲି ଦେଇଥିଲା ।