CCTV ଉପରେ ନଜର ରଖିବ କିଏ ? ଖତ ଖାଇବାକୁ ବସିଛି ଲକ୍ଷାଧିକ ଟଙ୍କାର ସିସିଟିଭି…

କୋରାପୁଟ : ନଜର ରଖିବା ଯନ୍ତ୍ର ଏବେ ନଜର ଆଢୁଆଳରେ । ଅଚଳ ହୋଇ ପଡିରହିଛି ସହରରେ ଲାଗିଥିବା CCTV କ୍ୟାମେରା । ରକ୍ଷଣାବେକ୍ଷଣା ଅଭାବରୁ ସିସି କ୍ୟାମେରା ଅଚଳ ହୋଇପଡିଥିବାବେଳେ ଏହାର ଫାଇଦା ଉଠାଉଛନ୍ତି ଅପରାଧୀ । କୋରାପୁଟ ଜିଲ୍ଲାର ବିଭିନ୍ନ ସହରରେ ଅପରାଧିକ ଘଟଣା ଉପରେ ନଜର ରଖି ତା’ ଉପରେ ଅଙ୍କୁଶ ଲଗେଇବା ପାଇଁ ପ୍ରଶାସନ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଲଗାଯାଇଥିଲା CCTV କ୍ୟାମେରା । ଏହା ଅପରାଧ ଓ ଅପରାଧୀଙ୍କ ଉପରେ ଅଙ୍କୁଶ ଲଗେଇବାରେ ସହଯୋଗୀ ମଧ୍ୟ ହେଉଥିଲା । କିନ୍ତୁ ବର୍ତମାନ କେତେକ ସହରରେ ଏହା ଅଚଳ ଅବସ୍ଥାରେ ପଡିରହିଛି । ସିସି କ୍ୟାମେରାର ଠିକ୍ ଭାବେ ମେଣ୍ଟେନାନ୍ସ ହେଉନଥିବାରୁ ତାହା ଏଭଳି ଅବସ୍ଥାରେ ରହିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ । ଏପରିକି ଯେଉଁ କମ୍ପାନୀ ଏହାକୁ ଲଗେଇବା ପାଇଁ ଟେଣ୍ଡର ନେଇଥିଲା, ସହରରେ କ୍ୟାମେରା ଲଗାଇ କମ୍ପାନୀ ଲାଭବାନ ହେବା ପରେ ଏହାର ମେଣ୍ଟେନାନ୍ସ ଦାୟିତ୍ବ ଭୁଲିଯାଇଛି । ଫଳରେ ଲକ୍ଷ ଲକ୍ଷ ଟଙ୍କାର CCTV କ୍ୟାମେରା ଏବେ ଖତ ଖାଇବକୁ ବସିଛି l
ଅପରପକ୍ଷେ ଅପରାଧୀ କ୍ୟାମେରା ସର୍ଭିଲାନ୍ସରୁ ବାହାରେ ରହିବାର ସୁଯୋଗ ନେଇ ଅପରାଧ ଘଟାଇବାରେ ଲାଗିପଡିଲେଣି l କୋଟପାଡ଼ ସହରରେ ଲାଗିଥିବା CCTV କ୍ୟାମେରା ଦୀର୍ଘ ୬ ମାସ ହେବ ଅଚଳ ହୋଇ ପଡିରହିଛି । ଏଭଳି ସ୍ଥଳେ ସହରରେ ଘଟୁଥିବା ଚୋରି, ଡକାୟତି, ଗଞ୍ଜାଇ ଚାଲାଣ, ମିସିଂ କେଶ ଏବଂ ଆଇନ ଶୃଙ୍ଖଳାର ଖିଅ ଖୋଜିବାରେ ଅସୁବିଧା ଭୋଗଛି ପୋଲିସ ପ୍ରଶାସନ । ଫଳରେ ବାଧ୍ୟ ହୋଇ ପ୍ରଶାସନକୁ ପ୍ରାଇଭେଟ CCTV କ୍ୟାମେରାର ସାହାରା ନେବାକୁ ପଡୁଛି l କୋଟପାଡ଼ରେ ଏଭଳି CCTV କ୍ୟାମେରା ଅଚଳ ହୋଇ ପଡିରହିବା ଯୋଗୁଁ ଅସୁବିଧା ଭୋଗୁଛନ୍ତି କୋଟପାଡ଼ ଅଞ୍ଚଳର ଜନ ସାଧାରଣ । ତେଣୁ ତୁରନ୍ତ ଏ ଦିଗରେ କାର୍ଯ୍ୟ କରିବାକୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ମହଲରେ ଦାବି ହୋଇଛି ।
ରିପୋର୍ଟ : କୋଟପାଡ଼ରୁ ସୁନୀଲ ଦାଶ