ଓଡିଶାର ପିଛା ଛାଡୁନି ଦୁର୍ଘଟଣା, ଦିଗପହଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା…

ବ୍ୟୁରୋ ରିପୋର୍ଟ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା । OSRTC ବସ୍ ଓ ଘରୋଇ ବସ୍ରେ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଥିବା ସୂଚନା । ଜଣଙ୍କର ଅବସ୍ଥା ଗୁରୁତର ହୋଇଥିବାବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା । ମୃତକ ମଧ୍ୟରେ ଅଛନ୍ତି ୬ଜଣ ପୁରୁଷ,୪ ଜଣ ମହିଳା ଓ ୨ଜଣ ଶିଶୁ । ସେମାନେ ହେଲେ ଶିବାନୀ ପ୍ରଧାନ, ରୁପାଲି ପ୍ରଧାନ, ସୁଜ୍ଞାନୀ କୁମାର ପ୍ରଧାନ, ସଙ୍ଗୀତା ଡାକୁଆ, ଲିଟୁ ନାୟକ, ତ୍ରିପତି ପ୍ରଧାନ, ରମେଶ ପ୍ରଧାନ, ସୀତାରାମ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ସଞ୍ଜୟ ମେଦିନ ରୟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ଷକର ଶିଶୁ ହାର୍ଦ୍ଦିକ ଓ ୩ ବର୍ଷର ଶିଶୁ ଦିବ୍ୟାଂଶୁ ପ୍ରଧାନଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।
ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ବ୍ରହ୍ମପୁରରୁ ବିବାହ ଭୋଜି ସାରି ବସ୍ରେ ଖୁସିରେ ଖଣ୍ଡଦେଉଳି ଫେରୁଥିଲେ ବନ୍ଧୁବାନ୍ଧବ । ଏହି ସମୟରେ OSRTC ବସ୍ ଗୁଡାରିରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲା । ଖେମୁଣ୍ଡି କଲେଜ ନିକଟରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।
ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଆହତଙ୍କ ଚିକିତ୍ସା କରାଯାଉଥିବା ସ୍ୱତନ୍ତ୍ର ରିଲିଫ କମିଶନର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ମୃତକଙ୍କ ପରିବାରପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ସମସ୍ତ ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ଏଥିସହ ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ ମର୍ମନ୍ତୁଦ ବସ୍ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ମୃତାହତଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ପରିବାର ପିଛା ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି ।