ଧସିଗଲା ଇନଡୋର ଷ୍ଟାଡିୟମ୍ । ରାଜ୍ୟର ବିକାଶ ଉପରେ ପ୍ରଶ୍ନ ?

କୋଦଳା : ରାଜ୍ୟର ବିକାଶ ହେଉଛି ନା ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ପକେଟ ଗରମ ହେଉଛି । ଲୋକଙ୍କୁ ବିକାଶର ଦ୍ୱାହି ଦେଉଛନ୍ତି ରାଜ୍ୟ ସରକାର । ହେଲେ ବିକାଶ ନାମରେ ହେଉଥିବା ଟେଣ୍ଡରକୁ ନିଜ ନିଜ ଭିତରେ ବାଣ୍ଟି କାମ ଉଠାଉଛନ୍ତି ବିଧାୟକଙ୍କ ସମ୍ପର୍କୀୟ । ନିମ୍ନମାନର କାମ କରି ତରବରିଆ ଭାବେ ବିଲ୍ କରି ନିଜର ପକେଟ ଗରମ କରୁଛନ୍ତି ଠିକାଦାର ଏବଂ ଯନ୍ତ୍ରୀ । ପିସି କାରବାରର ଏହି ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୋଦଳା ଏନ୍ଏସିର ଇନଡୋର ଷ୍ଟାଡିୟମରେ ।
ପଞ୍ଚାୟତ ନିର୍ବାଚନ ତଥା ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କ୍ରୀଡାର ବିକାଶ ପାଇଁ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ ୬୯୩.୩୫ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । ୧୮ ମାସ ମଧ୍ୟରେ କାମ ସମ୍ପୂର୍ଣ୍ଣ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବାବେଳେ ଷ୍ଟାଡିୟମ୍ ଗଠନ ଶୈଳୀ ବାବଦରେ କୁହାଯାଇଥିଲା ଯେ, ନିର୍ମାଣ ହେଉଥିବା କୋଠା ଘଣ୍ଟାପ୍ରତି ୨୦୦ କିମି ବେଗର ପବନକୁ ଯେପରି ସହ୍ୟ କରିପାରିବ । ଯେପରିକି ଆବଶ୍ୟକ ସ୍ଥଳେ ଏହାକୁ ମହାବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ରୂପେ ବ୍ୟବହାର କରାଯାଇପାରିବ । ହେଲେ କୋଦଳାର ଏହି ଇନଡୋର ଷ୍ଟାଡିୟମର ଦୃଶ୍ୟ ଦେଖନ୍ତୁ । ଗତ ୧୬ ଡିସେମ୍ବର, ୨୦୨୧ରେ କୋଦଳା ତହସିଲ ପଡିଆରେ ବହୁମୁଖୀ ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ କୋଟି ଟଙ୍କାର ବ୍ୟୟ ବରାଦରେ ନିର୍ମିତ ହେଉଥିବା ଏହି କୋଠାର କାନ୍ଥ ମୌସୁମୀର ପ୍ରଥମ ବର୍ଷାରେ ଧୋଇ ହୋଇଯାଇଛି ।
ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାର୍ୟ୍ୟ ହୋଇଥିବା ଅଭିଯୋଗ କରିଛନ୍ତି କାଉନସିଲର ମଧୁସୂଦନ ଜେନା । ସାମାନ୍ୟ ବର୍ଷାରେ ଇନଡୋର ଷ୍ଟାଡିୟମର ଧୋଇ ଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାକୁ ନେଇ ବିଜେପି ରାଜ୍ୟ ଉପସଭାପତି ଅନୀତା ଶୁଭଦର୍ଶନୀ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଏ ନେଇ ଆଜି ବିଜେପିର କବିସୂର୍ୟ୍ୟନଗର ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ, କୋଦଳା ଏନ୍ଏସି ଅଧ୍ୟକ୍ଷ ସୂର୍ୟ୍ୟ ନାରାୟଣ ନାୟକ, ଉପାଧ୍ୟାକ୍ଷା ରଂଜିତା ସେଠିଙ୍କ ସମେତ ମଧୁସୂଦନ ଜେନା ଏଵଂ ସ୍ଥାନୀୟ ବିଜେପି କର୍ମକର୍ତା ଉକ୍ତ ସ୍ଥଳରେ ପହଞ୍ଚି ଇଣ୍ଡୋର ଷ୍ଟାଡିୟମର କାର୍ୟ୍ୟ ଉପରେ ଅନୁଧ୍ୟାନ କରିଛନ୍ତି । ଷ୍ଟାଡିୟମ୍ ବିଲଡିଂର ଅନେକ ସ୍ଥାନରୁ ବର୍ଷା ପାଣି ଲିକ ହେଉଥିବା ବେଳେ କିଛି ସ୍ଥାନରେ ଛାତ ଫାଟି ଯାଇଥିବା ଦେଖିବାକୁ ମିଳିଛି । ଏପରିକି ଅନେକ ଭଙ୍ଗା ଯାଇଥିବା ସ୍ଥାନକୁ ପ୍ୟାଚ ପକାଇ କଲର କରାଯାଇଥିବା ଦେଖିବାକୁ ମିଳିଛି ।
ବିଜେପି ପକ୍ଷରୁ ଏ ନେଇ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ସମେତ ଠିକାଦାର କୋଦଳା ଏବଂ ପିଏଚଡବ୍ଲୁ ଯନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ପିସିର ଭୂସ୍ୱର୍ଗ ପାଲଟିଥିବାବେଳେ ଆଗାମୀ ଦିନରେ ଏହାର ଗୁମର ଖୋଲିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି ତା ଉପରେ ଏବେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ରହିଛି ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ