ଭୁବନେଶ୍ବରରେ ଅଗ୍ନିବର୍ଷା । ୪୪ ଡିଗ୍ରୀ ଉପରେ ରହିଛି ତାପମାତ୍ରା

ଭୁବନେଶ୍ବର : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି ମଣିଷଠାରୁ ପଶୁପକ୍ଷୀ । ଦିନ ୧୦ ଟା ବାଜିଲେ ରାସ୍ତାଘାଟ ଶୂନଶାନ ହେଇଯାଉଛି । ରାଜଧାନୀରେ ଅଗ୍ନିବର୍ଷା ହେଉଛି । ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଆଉ ଏହାରି ଭିତରେ ବିଜୁଳି କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏମିତି ତାପମାତ୍ରା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି । ଆଜି ରାଜ୍ୟରେ ସବୁଠାରୁ ଉତପ୍ତ ସହର ଭାବେ ସମ୍ବଲପୁର ସର୍ବାଧିକ ୪୫ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରିଛି । ସେହଭଳି ସମ୍ବଲପୁର ତଳକୁ ରହିଛି ଝାରସୁଗୁଡା । ଆଜି ଝାରସୁଗୁଡାର ତାପମାତ୍ରା ୪୪.୪ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଛି ।
ସେହିପରି ହୀରାକୁଦରେ ୪୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬.୨ ଡ଼ିଗ୍ରୀ, ଗୋପାଳପୁରରେ ୩୫ ଡ଼ିଗ୍ରୀ, ପାରାଦୀପରେ ୩୪.୨ ଡ଼ିଗ୍ରୀ, ପୁରୀରେ ୩୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୩.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୦.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ସୋନପୁର ରାଜ୍ୟର ସବୁଠାରୁ ଉତପ୍ତ ସହର ଭାବେ ରେକର୍ଡ କରିଥିଲା । ସୋନପୁରରେ ଗତକାଲି ସର୍ବାଧିକ ତାପମାତ୍ର ୪୫.୪ ଡିଗ୍ରୀ ରେକର୍ଡ କରାଯାଇଥିଲା ।
ଆସନ୍ତା ୧୮ ଓ ୧୯ ତାରିଖରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ । ୨୦ ତାରିଖ ପରେ ପାଗରେ ପରିବର୍ତ୍ତନ ସମ୍ଭାବନା ରହିବା ସହିତ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା ରହିଛି । ଏଥିସହ କେତେକ ସ୍ଥାନରେ କାଳବୈଶାଖୀ ହେବାର ଆଶଙ୍କା ରହିଛି । ୨୧ ତାରିଖରୁ ମୌସୁମୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।