ଅଣସର ସମୟରେ ଶ୍ରୀ ଅଲାରନାଥଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳେ

ଅଣସର ଘରେ ଚତୁର୍ଦ୍ଧା ମୂରତି । ଆଜିଠୁ ଶ୍ରୀ ଅଲରାନାଥଙ୍କ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ସବୁ ପ୍ରସ୍ତୁତି ଶେଷ ହୋଇଛି । ଆଜି ଭୋରୁ ଶ୍ରୀଅଲାରନାଥଙ୍କ ମନ୍ଦିର ଦ୍ୱାରଫିଟା ପରେ ମଙ୍ଗଳଆରତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ୱାରପାଳ ପୂଜା, ସ୍ୱୂର୍ଯ୍ୟ ପୂଜା ଶେଷ ହୋଇଛି ।
ଦେବସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର । ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ଅଣସର ନୀତି । ପୂଜା ପାଉଛନ୍ତି ପଟି ଦିଅଁ । ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ଦର୍ଶନ ପାଇଁ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
ସକାଳ ୬ଟାରୁ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଛି । ଦର୍ଶନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମନ୍ଦିର ଆଗରେ ଏକ ଅସ୍ଥାୟୀ ଫାଣ୍ଡି ଖୋଲାଯାଇ ୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅଣସର ସମୟରେ ଶ୍ରୀ ଅଲାରନାଥଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।