ସୁସ୍ଥ ସମାଜ ଗଠନ ଦିଗରେ ବାବା ବଳିଆଙ୍କ ଆର୍ଶୀବଚନ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ମାଛଗାଁରେ ପରମପୂଜ୍ୟ ପଦ୍ମଶ୍ରୀ ବାବା ବଳିଆଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାବା ବଳିଆ ମାଛଗାଁରେ ପହଁଚିବା ପରେ ଶ୍ରଦ୍ଧାଳୁମାନେ ସଂକୀର୍ତ୍ତନ ଶୋଭାଯାତ୍ରାରେ ବାବାଙ୍କୁ ସତସଙ୍ଗ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ପରେ ଗୁରୁ ପୂଜନ କରାଯିବା ସହିତ ସତସଙ୍ଗ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ବିଧାନସଭା ସଚିବ ଦାଶରଥି ଶତପଥୀ ଯୋଗ ଦେଇ ଉଦଘାଟନ କରିଥିଲେ ।

ଏହି ଅବସରରେ “କଥାରେ କଥାରେ ଜୀବନ ଗୀତା” ପ୍ରସଙ୍ଗକୁ ନେଇ ବାବା ବଳିଆ ଶ୍ରଦ୍ଧାଳୁଙ୍କୁ ଆର୍ଶୀବଚନ ପ୍ରଦାନ କରିଥିଲେ । ମଦ୍ୟ ଓ ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା, ପିତାମାତା ଏବଂ ଗୁରୁଙ୍କ ପୂଜା କରିବା, ପରିବେଶ ସୁରକ୍ଷା କରିବା, ବୃକ୍ଷ ରୋପଣ କରିବା, ନିଜକୁ ଏକ ଭଲ ମଣିଷ ଭାବରେ ଗଢି ତୋଳିବା ସହିତ ଏକ ସୁସ୍ଥ ସମାଜ ଗଠନ କରିବା ଉପରେ ବାବା ବଳିଆ ଉପସ୍ଥିତ ଶ୍ରୋତାଙ୍କୁ ମାର୍ଗ ଦର୍ଶନ କରାଇଥିଲେ ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ