ଡଃ ଅଚ୍ୟୁତ ସାମନ୍ତ ପ୍ରୟାସ । ସମଗ୍ର ବିଶ୍ବକୁ ଏକସୂତ୍ରରେ ବାନ୍ଧିବା ପାଇଁ ପାଳନ ହୋଇଛି ବିଶ୍ୱ ଆର୍ଟ ଅଫ ଗିଭିଂ ଦିବସ…

ଜଗତସିଂହପୁର: ପାଳିତ ହୋଇଯାଇଛି ୧୦ମ ବିଶ୍ୱ ଆର୍ଟ ଅଫ ଗିଭିଂ ଦିବସ । ସମାଜରେ ପରସ୍ପରକୁ ସାହାଯ୍ୟ,ସହଯୋଗ କରିବା ସହ ଶାନ୍ତି, ମୈତ୍ରୀ ଓ ସୋହାର୍ଦ୍ୱ ବାଣ୍ଟିବା ପାଇଁ ୨୦୧୩ ମସିହା ମେ ୧୭ ତାରିଖରୁ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆର୍ଟ ଅଫ ଗିଭିଂ ଏବେ ସାରା ବିଶ୍ୱରେ ଆଦୃତଲାଭ କରିଛି । ଏହି ଅବସରରେ ଜଗତସିଂହପୁର ଜିଲ୍ଲା ସଦରମହାକୁମାସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ୧୦ମ ବିଶ୍ୱ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇଯାଇଛି ।

ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଯୋଗ ଦେଇ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଏଭଳି ନିଆରା ବିଶ୍ୱବ୍ୟାପୀ ପଦକ୍ଷେପକୁ ଭୁୟଂସୀ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଜଗତସିଂହପୁର ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା, ବିଶିଷ୍ଟ ସମାଜସେବୀ ବିନାୟକ ପଟନାୟକ, ବରିଷ୍ଠ ଆଇନଜୀବୀ ଦୋଳଗୋବିନ୍ଦ ଦାସ ପ୍ରମୁଖ ଯୋଗଦେଇ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଏଭଳି ନିଆରା ପଦକ୍ଷେପକୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ଆର୍ଟ ଅଫ ଗିଭିଂର ଆଭିମୁଖ୍ୟ ସମ୍ପର୍କରେ ମତପୋଷଣ କରିଥିଲେ ଅତିଥିଗଣ । ସମାଜରେ ନିରନ୍ତର ସେବା ଯୋଗାଉଥିବା ଆଶାକର୍ମୀ, ସଫେଇ କର୍ମଚାରୀ, ଟ୍ରାଫିକ ପୋଲିସ, ଆମ୍ବୁଲାନ୍ସ ଡ୍ରାଇଭର ପ୍ରମୁଖଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଜୀବ କୁମାର ମହାନ୍ତି, ଅଞ୍ଜନ ମିତ୍ର, ଅମିତାଭ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ବରିଷ୍ଠ ସାମ୍ବାଦିକ ଶୁଭଙ୍କର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ