ମଦ ଦୋକାନ ଉଚ୍ଛେଦ ଦାବିରେ ମହିଳାଙ୍କ ସତ୍ୟାଗ୍ରହ

ସାଲେପୁର: ସ୍ଥାନୀୟ ସପନପୁରରେ କଟକ ଚାନ୍ଦବାଲି ମୁଖ୍ୟ ସଡ଼କ କଡରେ ଏକ ନୂତନ ମଦଦୋକାନ ଖୋଲାଯିବାକୁ ପ୍ରତିବାଦ କରି ମଦ ଦୋକାନ ସମ୍ମୁଖରେ ଗଣ ସତ୍ୟାଗ୍ରହ ପ୍ରଦର୍ଶନ କରୁଛନ୍ତି ସ୍ଥାନୀୟ ଗ୍ରାମବାସୀ ଓ ମହିଳା । ମଦ ଦୋକାନ ହେବାଦ୍ବାରା ସ୍ଥାନୀୟ ଅଞ୍ଚଳରେ ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବ ଏବଂ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବେ ଯୁବଗୋଷ୍ଠୀ । ଏ ନେଇ ସାଲେପୁର ବ୍ଲକ ଶିଶୁଆ ସପନପୁରର ଗ୍ରାମବାସୀ ତଥା ମହିଳାମାନେ ଏକତ୍ରିତ ହୋଇ ମଦମୁକ୍ତି ସତ୍ୟାଗ୍ରହରେ ଅଂଶଗ୍ରହଣ କରି ମଦ ଦୋକାନକୁ ତୁରନ୍ତ ଉଛେଦ କରିବାକୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଚଳାଇବା ସହ ରାମଧୁନ ଗାନ କରିଛନ୍ତି । ଗ୍ରାମବାସୀଙ୍କ ଏହି ମଦମୁକ୍ତ ଅଭିଯାନରେ ମିଳିତ ଓଡ଼ିଶା ନିଶାନିବାରଣ ଅଭିଯାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଖବରପାଇ ଧାରଣା ସ୍ଥଳରେ ସାଲେପୁର ଥାନା ଅଧିକାରୀ, ଅବକାରୀ ନିରୀକ୍ଷକ ଓ ଅତିରିକ୍ତ ତହସିଲଦାର ଉପସ୍ଥିତି ରହି ଉକ୍ତ ସ୍ଥାନରୁ ମଦ ଦୋକାନକୁ ସ୍ଥାନାନ୍ତର କରାଯିବାକୁ ପ୍ରତିଶ୍ରୁତି ଦେବାପରେ ସତ୍ୟାଗ୍ରହ ପ୍ରତ୍ୟାହୃତ ହୋଇଥିଲା ।

ରିପୋର୍ଟ: ସାଲେପୁରରୁ ଅଭୟ ଜେନା