ବାଇଚଢେଇରେ ବାଇଚଢେଇ, କୁଆଡେ ଯାଉ ତୁ ଡେଣା ମେଲାଇ…

ସାଲେପୁର: ଦିନଥିଲା ବାଇଚଢେଇର କିଚିରି ମିଚିରି ଶବ୍ଦରେ ପ୍ରକମ୍ପିତ ହେଉଥିଲା ସମଗ୍ର ଗ୍ରାମ୍ୟ ପରିବେଶ । ମାତ୍ର ଏବେ ଆଉ ଶୁଣିବାକୁ ମିଳୁନି ବାଇଚଢ଼େଇର ସେଇ କିଚିରି ମିଚିରି ଶବ୍ଦ । ଆଉ ଦେଖିବାକୁ ମିଳୁନି ପବନରେ ଦୋଳାୟମାନ ବାୟାବସା । ବହି ହେଉ ଅବା ମାର ସେଇ ସ୍ନେହଭରା ଗୀତ ସବୁଠି ବାଇ ଚଢ଼େଇକୁ ନେଇ ଗଢ଼ା ଭିନ୍ନ ଭିନ୍ନ କାହାଣୀ । ତେବେ ଏହି କାହାଣୀ ସତ ହୋଇଥିଲେ ବି ଆଗକୁ ଏହା ଗପ ହେବାକୁ ଯାଉଛି । କାରଣ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି ବାଇଚଢ଼େଇ ଓ ବାୟାବସା ।
ବାଇଚଢେଇରେ ବାଇଚଢେଇ
କୁଆଡେ ଯାଉ ତୁ ଡେଣା ମେଲାଇ,
ଦୂର ଦିଗ୍-ବଳୟକୁ ଚାହିଁ
ଯାଉ ତୋର ଲକ୍ଷ୍ୟ ପୂରା କରିବା ପାଇଁ ।
କୁଟା କାଠି ନେଇ ସଜାଡୁ ବସା
ସହି ତୁ ଯେ କେତେ ଖରା ବରଷା ,
ଗଛ ତୋ ପାଇଁ ସାହା ଭରସା ।
ମହାନଦୀ ଓ ଚିତ୍ରୋତ୍ପଳା ନଦୀବନ୍ଧର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ତାଳଗଛ ଓ ଖଜୁରୀ ଗଛରେ ଦେଖିବାକୁ ମିଳିଛି ଅନେକ ବାୟାବସା ଓ ଶୁଣିବାକୁ ମିଳୁଛି ବାଇଚଢ଼େଇର ସେହି ମନମତାଣିଆ କିଚିରି ମିଚିରି ଶବ୍ଦ । କିଚିରି ମିଚିରି ଶବ୍ଦରେ ଫାଟି ପଡ଼ୁଛି ପୁରା ଅଞ୍ଚଳ । ବାଟରେ ଯାଉଥିବା ଲୋକ ବି କିଛି କ୍ଷଣ ପାଇଁ ଠିଆ ହୋଇ ବିରଳ ଦୃଶ୍ୟକୁ ମନଭରି ଉପଭୋଗ କରୁଛନ୍ତି । ପ୍ରକୃତିର ଏହି ସୁନ୍ଦର ଦୃଶ୍ୟ ଦେଖିବାକୁ କାହା ମନ ବା ଅରାଜି ହେବ ।
ତାର ବସା ତିଆରି କରିବାର ଶୈଳୀ ସତେ ଯେମିତି ସମସ୍ତଙ୍କୁ ବିସ୍ମିତ କରିଥାଏ । ବାଇଚଢେଇର ବସା ତିଆରି କରିବାର ସମୟ ପହିଲି ବର୍ଷାର ଆଗମନକୁ ସୂଚାଏ । ପ୍ରବଳ ଗ୍ରୀଷ୍ମପ୍ରବାହ ସହ ବର୍ଷାର ସ୍ପର୍ଶ ଆଉ ତାସହ ବାଇ ଚଢେଇର ଦୃଶ୍ୟ ମନକୁ ସତେ ଯେମିତି ଦ୍ୱିଗୁଣିତ କରିଥାଏ । ପ୍ରକୃତିରେ ଗଢ଼ା ବାଇଚଢେଇର ବସାକୁ ଦେଖିଲେ ନିଜ ମନ ଭିତରେ କବିର କବିତ୍ଵ ଆପେ ଆପେ ଜାଗି ଉଠେ । ଆଉ ଦିନଯାକର ଅକ୍ଲାନ୍ତ ପରିଶ୍ରମରେ ସାଧାରଣ ମଣିଷ ଭିତରେ ଏକ ଭିନ୍ନ ଉତ୍ସାହ ଜାଗ୍ରତ ହୁଏ ।
ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ଜଙ୍ଗଲ ହ୍ରାସ ବିଶେଷ କରି ବାଇଚଢ଼େଇ ବିଲୁପ୍ତର ମୁଖ୍ୟ କାରଣ ବୋଲି ମତଦିଅନ୍ତି ପ୍ରକୃତି ପ୍ରେମୀ । ସାଧାରଣତ ବାଇଚଢେଇ ତାଳ କିମ୍ବା ଖଜୁରୀ ଗଛର ଡାଳରେ ବସା ବାନ୍ଧିଥାଏ । କାରଣ ଏହି ଗଛ ଗୁଡ଼ିକ ଦୀର୍ଘ ସ୍ଥାୟୀ । ତେବେ ସମୟ କ୍ରମରେ ଲୋକେ ଏଥିରୁ ପ୍ରସ୍ତୁତ ଘରକରଣାର ମହତ୍ତ୍ବ ଭୁଲିବା ସହ ଏହି ଗଛକୁ ଅଦରକାରୀ ବୋଲି ମଣିନେଇ ଏହାକୁ କାଟି କଂକ୍ରିଟ ରାସ୍ତା ତଥା ବଡ ବଡ କୋଠା ନିର୍ମାଣରେ ବ୍ୟସ୍ତ ହେଉଛନ୍ତି । ତେଣୁ ସମୟଥାଉ ଥାଉ ଏସବୁ ଦିଗରେ ଯଦି ଜନସାଧାରଣ ଏବଂ ପ୍ରଶାସନ ସମସ୍ତେ ସଚେତନ ହୁଅନ୍ତି ତେବେ ପ୍ରକୃତିର ଏହି ଅନବଦ୍ୟ ସୃଷ୍ଟି ବାଇଚଢ଼େଇର ବଂଶବୃଦ୍ଧି ହୋଇପାରନ୍ତା ବୋଲି ମତ ପ୍ରକାଶ କରିଛନ୍ତି ପ୍ରକୃତିପ୍ରେମୀ ତଥା ପକ୍ଷୀପ୍ରେମୀ ।
ରିପୋର୍ଟ: ସାଲେପୁରରୁ ଅଭୟ ଜେନା