ଶେଷ ଦିନରେ କମ୍ପୁଛି ଝାରସୁଗୁଡା ସହର । ଆସନ୍ତା ୧୦ରେ ହେବ ଭୋଟ୍ ଗ୍ରହଣ

ଝାରସୁଗୁଡା ହାଇଭୋଲଟେଜ୍ କ୍ୟାମ୍ପେନର ଆଜି ଶେଷ ପ୍ରଚାର । ଦିନକ ପରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଶେଷ ଦିନରେ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବହୁ ହେଭିୱେଟ । ଝାରସୁଗୁଡ଼ାବାସୀ କାହା ସପକ୍ଷରେ ମତ ଦେବେ, ତା’ ଉପରେ ରହିଛି ସାରା ରାଜ୍ୟର ନଜର । ଗତକାଲି ହାଇଭୋଲଟେଜ୍ ପ୍ରଚାରରେ ଉଠିଥିଲା ପଡିଥିଲା ଝାରସୁଗୁଡ଼ା ସହର । ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ଦୀପାଳିଙ୍କ ପାଇଁ ଭୋଟଭିକ୍ଷା କରିବା ସହ ତାଙ୍କ ପ୍ରତି ବିରୋଧୀ ଦଳ ଆକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ।
ସେପଟେ କୁଲାବିରାରେ ଆୟୋଜିତ ଜନ ସମାବେଶରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ ମାଗିବା ସହ ରାଜ୍ୟ ସରକାରଙ୍କୁ ଏକାଧିକ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର କାରଣ କଣ ? କେନ୍ଦ୍ର ଦେଉଥିବା ଅର୍ଥ କୁଆଡେ ଯାଉଛି ? ପ୍ରଧାନମନ୍ତ୍ରୀ ଆବାସ ଘର କାହିଁକି ବଣ୍ଟାଯାଉନି ? ଏପରିକି ଗୁଡୁ ମୁସଲିମ କଥା ଉଠାଇ ବିଜେଡି ନେତାଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମାରାଥନ ପ୍ରଚାର ଚଳାଇଛନ୍ତି । ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ମେ ୧୩ ତାରିଖରେ ହେବ ଭୋଟ୍ ଗଣତି ।