ଓଡିଶାରେ ଖୋଲିଲା ସ୍କୁଲ, ସେପଟେ ପଶ୍ଚିମବଙ୍ଗରେ ହିଟୱେଭ ଯୋଗୁଁ ସପ୍ତାହ ପାଇଁ ବନ୍ଦ ହେଲା ସ୍କୁଲ…

ଆଜିଠୁ ପୁଣି ସ୍ୱାଭାବିକ ହୋଇଛି ସ୍କୁଲ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିଥିଲେ । ଆଜି ସକାଳ ସାଢ଼େ ୬ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ କ୍ଲାସ୍ ହୋଇଛି । ସେହିପରି ଆଜିଠୁ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ପାଠ ପଢା ହୋଇଛି । ଅନ୍ୟପକ୍ଷରେ ସମ୍ବଲପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ୨ ଦିନ ସ୍କୁଲ ବନ୍ଦ ରଖିବାକୁ କୁହାଯାଇଛି ।
ତେବେ ଓଡ଼ିଶା ସମେତ ସମଗ୍ର ଦେଶର ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ମଧ୍ୟ ବଡ଼ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ସପ୍ତାହ ଯାଏଁ ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ।
କେବଳ ସରକାରୀ ନୁହେଁ, ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ମମତା ପରାମର୍ଶ ଦେଇଛନ୍ତି । ଏଥିସହ ସେ ଲୋକମାନଙ୍କୁ ଅତି ଜରୁରୀ କାମ ନଥିଲେ ଦିନ ୧୨ଟାରୁ ଅପରାହ୍ନ ୪ଟା ଯାଏ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ।
ଏପ୍ରିଲ ୧୯ ଯାଏଁ ହିଟୱେଭ ସ୍ଥିତି ଲାଗୁ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେଣୁ ସତର୍କତା ପଦକ୍ଷେପ ସ୍ୱରୂପ ସରକାର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ।