ଆଜିଠାରୁ ଏପ୍ରିଲ ୧୬ ତାରିଖ ଯାଏଁ ରାଜ୍ୟର ସବୁ ସ୍କୁଲକୁ ଛୁଟି

ପ୍ରବଳ ଗ୍ରୀଷ୍ଣ ପ୍ରବାହ ପାଇଁ ଆଜିଠାରୁ ଏପ୍ରିଲ ୧୬ ତାରିଖ ଯାଏଁ ରାଜ୍ୟର ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସହିତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ । କୋଭିଡ୍ ଓ ହିଟୱେଭକୁ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ଏହି ନିଷ୍ପତ୍ତି ନେଇଛନ୍ତି ।
ଗତ ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଉପରମୁହାଁ ହେବାରେ ଲାଗିଛି । ତେଣୁ ଆଗକୁ ଆହୁରି ତାତି ବଢ଼ିବାର ଆଶଙ୍କାକୁ ଦେଖି ସରକାର ଏହି ପଦକ୍ଷେପ ନେଇଛନ୍ତି । ଏତଦ୍ ବ୍ୟତୀତ ନିରବଚ୍ଛିନ୍ନ ପାନୀୟ ଜଳ ଏବଂ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
ହିଟୱେଭକୁ ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଗୁରୁତ୍ବ ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଭିନ୍ନ ଜିଲ୍ଲାକୁ ଆଡଭାଇଜରି ଜାରି କରିଛନ୍ତି । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ଵର, ବୌଦ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଆଡଭାଇଜରି ଜାରି କରାଯାଇଛି । ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେବାକୁ ସଂପୃକ୍ତ ଜିଲ୍ଲା ପ୍ରଶାସନ ଗୁଡିକୁ କୁହାଯାଇଛି । ଶିଶୁ, ବୟସ୍କ ବ୍ୟକ୍ତି ଓ ଅସୁସ୍ଥ ଲୋକମାନଙ୍କୁ ହିଟୱେଭରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।