ଉତକ୍ଷେପଣ ହେଲା ଭାରତର ପ୍ରଥମ ହାଇବ୍ରିଡ୍ ରକେଟ୍ ଏପିଜେଏକେଏସଏଲ୍ଭି ୧୫୦ ପିକୋ ଉପଗ୍ରହ

କୋଟପାଡ଼ : ଡକ୍ଟର କଲାମ ସାଟେଲାଇଟ୍ ମିଶନରେ ଅଂଶଗ୍ରହଣ କରି ରାଜ୍ୟ ପାଇଁ ଗୌରବ ଆଣିଲେ କୋଟପାଡର ୧୦ ଜଣ ଛାତ୍ରଛାତ୍ରୀ । ଡକ୍ଟର ଏପିଜେ ଅବଦୁଲ କଲାମ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ, ହାଉସ୍ ଅଫ୍ କଲାମ, ସ୍ପେସ୍ ଜୋନ୍ ଇଣ୍ଡିଆ ଏବଂ ମାର୍ଟିନ୍ ଗ୍ରୁପ୍ ସହଯୋଗରେ ଆୟୋଜିତ ଡକ୍ଟର ଏପିଜେ ଅବଦୁଲ କଲାମ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ ମିଶନ ୨୦୨୩ରେ ଅଂଶ ଗ୍ରହଣ କଲେ ଓଡିଶାର କୋରାପୁଟ ଜିଲ୍ଲା କୋଟପାଡ଼ ସହରର ୧୦ ଜଣ ଛାତ୍ରଛାତ୍ରୀ । ଦେଶର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସହ ମିଶି ରକେଟ୍ ମାଧ୍ୟମରେ ୧୫୦ ପିକୋ ଉପଗ୍ରହ ଉତକ୍ଷେପଣ କରାଯାଇଛି । ଏହି ମିଶନରେ ସାମିଲ ହୋଇଛନ୍ତି ଓଡ଼ିଶାର ସରକାରୀ ହାଇସ୍କୁଲ କୋଟପାଡ଼ର ଛାତ୍ର ବି ରିଜୋଇସ, ଆଦିତ୍ୟ ବିଶ୍ଵାସ, ଅର୍ପିତ ମହାପାତ୍ର, ଶୁଭମ୍ ଜେନା, ଯୁଗେଶ ଭତ୍ରା ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୋଟପାଡ଼ର ଛାତ୍ରୀ ଅର୍ଜୟ ଅର୍ପିତା ମିଶ୍ର, ଲକ୍ଷ୍ମୀ ପ୍ରିୟା ସ୍ୱାଇଁ, ଶ୍ରୀୟା ଜେନା, ସ୍ୱାଗତିକା ବେହେରା ଓ ନବ୍ୟା ପରିଧି ଜାଲ ।
ଏ ନେଇ କୋଟପାଡ଼ର ୧୦ ଜଣ ଯୁବ ବୈଜ୍ଞାନିକଙ୍କୁ ସ୍ୱର୍ଣ୍ଣ ପଦକ, ପ୍ରମାଣପତ୍ର ଏବଂ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆୟୋଜକ ତଥା ଛତିଶଗଡ ଏବଂ ଓଡିଶା ରାଜ୍ୟ ସଂଯୋଜକ ଅମୁଜୁରୀ ବିଶ୍ୱନାଥ ଉପସ୍ଥିତ କହିଛନ୍ତି ଯେ, କୋଟପାଡ ହେଉଛି ଓଡିଶାର ପ୍ରଥମ ସହର ଯେଉଁଠୁ ୧୦ ଜଣ ଛାତ୍ରଛାତ୍ରୀ ଡକ୍ଟର ଏପିଜେ ଅବଦୁଲ କଲାମ ସାଟେଲାଇଟ୍ ଲଞ୍ଚ ଭେଇକିଲ ମିଶନ ୨୦୨୩ରେ ଅଂଶ ଗ୍ରହଣ କରିଛନ୍ତି । ଉପଗ୍ରହ ସଂଗୃହିତ ତଥ୍ୟ ବାୟୁମଣ୍ଡଳରେ ବିସ୍ତାରିତ ଅମ୍ଳଜାନ, ତାପମାତ୍ରା, ଓଜନ ଏବଂ ଅନ୍ୟାନ୍ୟ ଗ୍ୟାସର ପରିମାଣ ବିଷୟରେ ତଥ୍ୟ ସଂଗ୍ରହ ପାଇଁ ବ୍ୟବହୃତ ହେଉଛି । ତେବେ ଛାତ୍ରଛାତ୍ରୀମାନେ ନିଜ ହାତରେ ଉପଗ୍ରହ ତିଆରି କରିବା ସହ ଏହି ମିଶନରେ ସାମିଲ ଥିବାରୁ ନିଜକ ଗୌରବାନ୍ବିତ କରୁଥିବା କହିଛନ୍ତି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଟପାଡ଼ ବିଇଓ ତିଲୋତମା ଗୋରଡା, ବିଶିଷ୍ଟ ଅତିଥି ଭାବେ ଏବିଇଓ ନୋଲିନି ସାହୁ, ବକ୍ତା ଭାବେ ବଂଶୀଧର ବିଶୋଇ, ଅବସରପ୍ରାପ୍ତ ଡିପିପିଓ, ହାଭିଲଦାର ଗୌରାଙ୍ଗ ନାୟକ, ଏକ୍ସ ଅର୍ମୀ ପ୍ରମୁଖ ଉପସ୍ଥିତ ରହି ଦେଶ ସେବାରେ ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଅଫ ଇଣ୍ଡିଆ ଡକ୍ଟର ଏପିଜେ ଅବଦୁଲ କଲାମ ମହାକାଶ ବିଜ୍ଞାନ ଏବଂ ଟେକ୍ନୋଲୋଜରେ ବିଶେଷ ଜ୍ଞାନର ଅବଦାନ ରହିଛି, ଯେଉଁ କାରଣରୁ ଭାରତ ଗର୍ବିତ ବୋଲି କହିଥିଲେ । ଅବସରରେ ଶିକ୍ଷା ତଥା କୋଟପାଡ଼ର ବିକାଶ ପାଇଁ ପ୍ରଯୋଜକ ଡକ୍ଟର ଗଣେଶ ଚନ୍ଦ୍ର ପଣ୍ଡାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ତାଙ୍କୁ ସମସ୍ତେ ଧନ୍ୟବାଦ ଦେଇଥିବାବେଳେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଛନ୍ତି ଶ୍ରୀ ପଣ୍ଡା ।
ଛତିଶଗଡର ଦନ୍ତେୱାଡା ଜିଲ୍ଲାର ଗୀଦମ୍ ବ୍ଲକର ଜାଭଙ୍ଗାରେ ଉପଗ୍ରହ ଏବଂ ରକେଟ୍ରି ଉପରେ ଏକ ଦିନିଆ କର୍ମଶାଳାରେ କୋଟପାଡ଼ର ଏହି ୧୦ ଜଣ ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିଥିଲେ । ସାଧାରଣ ସଚିବ ମିଲିନ୍ଦ ଚୌଧୁରୀ ଏବଂ ମୋହିତ ଚୌଧୁରୀଙ୍କ ଦ୍ୱାରା ଏକ ମାସ ଅନଲାଇନ୍ ତାଲିମ ଦିଆଯାଇଥିଲା । ତାମିଲନାଡୁର ପାଟିପୁଲମରେ ଭାରତର ପ୍ରଥମ ହାଇବ୍ରିଡ୍ ରକେଟ୍ ଏପିଜେଏକେଏସଏଲ୍ଭି ଉତକ୍ଷେପଣ କରାଯାଇଥିଲା । ଏଥିରେ ବର୍ତ୍ତମାନ କୋଟପାଡ଼ ସହର ମହାକାଶ ଏବଂ ରକେଟ୍ରି କ୍ଷେତ୍ରରେ ଏକ ନୂତନ ପରିଚୟ ପାଇଛି, ଯାହା ବିଶ୍ୱ ସ୍ତରରେ ଏକ ରେକର୍ଡ ସୃଷ୍ଟି କରିଛି ।
ଦେଶର ୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଛତିଶଗଡ ଓ ଓଡିଶା ରାଜ୍ୟରୁ ମୋଟ ୭୫ ଜଣ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ପିକୋ ସାଟେଲାଇଟ୍ ରକେଟ୍ ଉତକ୍ଷେପଣ କରାଯାଇଥିଲା । ଏହା ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡ, ଏସିଆ ବୁକ୍ ଅଫ୍ ରେକର୍ଡ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ, ଆସିଷ୍ଟ ବୁକ୍ ଅଫ୍ ରେକର୍ଡ, ଆଇଡିୟାଇଏମ ବୁକ୍ ଅଫ୍ ରେକର୍ଡରେ କିର୍ତ୍ତିମାନ ହୋଇଛି । ଏହାର ସମ୍ପୂର୍ଣ୍ଣ ବିବରଣୀ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ । ଏହି ସଫଳତା ଉପରେ କୋଟପାଡ଼କୁ ଗର୍ବିତ କରିଥିବା ୧୦ ଜଣ ବିଦ୍ୟାର୍ଥୀଙ୍କୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୋଟପାଡ଼ରେ ସମ୍ମାନ ସମାରୋହ ଆୟୋଜନ କରାଯାଇଥିଲା ।
ରିପୋର୍ଟ: କୋଟପାଡ଼ରୁ ସୁନୀଲ ଦାଶ