ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପ୍: ଭାରତକୁ ୪ ସ୍ୱର୍ଣ୍ଣ

ବ୍ୟୁରୋ ରିପୋର୍ଟ: ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ଭାରତକୁ ମିଳିଲା ୪ଟି ସ୍ୱର୍ଣ୍ଣ । ନିତୁ ଓ ସ୍ବିଟିଙ୍କ ପରେ ଏବେ ନିଖତ ଜରିନ୍ ଓ ଲଭଲିନା ସ୍ବର୍ଣ୍ଣ ହାସଲ କରିଛନ୍ତି । ନିଖତ ୫୦ କେଜି ବର୍ଗରେ ଭିଏତନାମର ନୁଏନ୍ ଥିଟାମଙ୍କୁ ୫-୦ରେ ପରାଜିତ କରିଥିବାବେଳେ ଲଭଲିନା ୭୫ କେଜି ବର୍ଗରେ ୫-୨ରେ ଅଷ୍ଟ୍ରେଲିଆର କେଟଲିନ୍ ପାର୍କରଙ୍କୁ ହରାଇ ବିଜୟ ହାସଲ କରିଛନ୍ତି ।
ପ୍ରଥମେ ୨୨ ବର୍ଷୀୟ ନିତୁ ଘନଘାସ ୪୮ କେଜି ବର୍ଗର ଲଢ଼େଇରେ ମଙ୍ଗୋଲିଆର ବକ୍ସର ଲୁଟ ସୈଖାନଙ୍କୁ ୫-୦ରେ ପରାସ୍ତ କରି ବିଜୟ ବାନା ଉଡ଼ାଇଛନ୍ତି । ସେ ୬ଷ୍ଠ ଭାରତୀୟ (ଉଭୟ ପୁରୁଷ ଓ ମହିଳା ବର୍ଗ) ଭାବେ ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଛନ୍ତି । ଏହାକୁ ମିଶାଇ ଭାରତ ୧୧ ଥର ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ ସ୍ୱର୍ଣ୍ଣ ପଦକ ଜିତିଛି । ଏହି ୧୧ଟି ସ୍ୱର୍ଣ୍ଣ ପଦରୁ କିମ୍ବଦନ୍ତୀ ବକ୍ସର ମ୍ୟାରିକମ୍ ୬ଟି ସ୍ବର୍ଣ୍ଣ ହାସଲ କରିଛନ୍ତି ।
ସେ ୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଥିଲେ । ତାଙ୍କ ବ୍ୟତୀତ ସରିତା ଦେବୀ(୨୦୦୬), ଜେନୀ ଆରଏଲ( ୨୦୦୬), ଲେଖା କେସି(୨୦୦୬) ଓ ନିଖତ ଜରୀନ(୨୦୨୨) ବିଶ୍ୱ ବକ୍ସିଂ ଚାମ୍ପିୟନଶିପର ବିଭିନ୍ନ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ।
ତାଙ୍କ ପରେ ପରେ ସ୍ୱିଟି ବୋରା ନୂଆ ବିଶ୍ୱ ବିଜୟିନୀ ହୋଇ ଇତିହାସ ରଚିଛନ୍ତି । ସ୍ୱିଟି ବୋରା ୮୧ କେଜି ବର୍ଗରେ ଚାଇନାର ୱାଙ୍ଗ ଲିନାକୁ ପରାସ୍ତ କରି ବିଜୟ ବାନା ଉଡ଼ାଇଛନ୍ତି । ସେ ୭ମ ଭାରତୀୟ (ଉଭୟ ପୁରୁଷ ଓ ମହିଳା ବର୍ଗ) ଭାବେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛନ୍ତି । ପୂର୍ବରୁ ସେ ୨୦୧୪ ବିଶ୍ୱ ମହିଳା ବକ୍ସିଂ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ ।
ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୧୪ ଥର ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ ସ୍ୱର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଛି ।