ଜଟଣୀରୁ ଜବତ ହେଲା ୨୨ କେଜି ଗଞ୍ଜେଇ

ଜଟଣୀ : ଜଟଣୀରେ ଚେର ମେଲାଉଛି ନିଶା କାରବାର । ଏହାକୁ ଦୃଷ୍ଟିରେ ରଖି ଜଟଣୀ ପୋଲିସ ନିଶା କାରବାରକୁ ରୋକିବା ପାଇଁ କଡା ପଦକ୍ଷେପ ଗ୍ରହଣ କରୁଛି । ପୋଲିସ ନିଶା କାରବାର ଉପରେ ତୀକ୍ଷ୍ଣ ନଜର ରଖିଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ଥାନାର ଏକ ସ୍ପେଶାଲ ଟିମ୍ ଅଚାନକ ଭାବେ ଜଟଣୀ ନୂଆ ବସ୍ ଷ୍ଟାଣ୍ଡରେ ଚଢାଉ କରି ୨୨ କେଜି ୧୦୦ଗ୍ରାମର ଗଞ୍ଜେଇ ଜବତ କରିଛି । ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୫ ଲକ୍ଷ ୮୪ ହଜାର ୬୦୦ ଟଙ୍କା, ୩ ଟି ମୋବାଇଲ ଫୋନ୍ ଏବଂ ଏକ ଅଟୋକୁ ଜବତ କରିଛି I ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ନୂଆଗାଁ ନଟି ମଙ୍ଗଳା ଗ୍ରାମର ତ୍ରିନାଥ ସାମଲ, ଗାନ୍ଧୀ ନଗରର ସୁନୀଲ ବେହେରା, ମଧୁସୂଦନ ନଗରର କାର୍ତ୍ତିକ ପୃଷ୍ଟି I ଅଭିଯୁକ୍ତମାନେ କନ୍ଧମାଳରୁ ଗଞ୍ଜେଇ ଆଣି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିକ୍ରି କରିଥାନ୍ତେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ବେଆଇନ ଗଞ୍ଜେଇ ବିକ୍ରି କରିବା ମାମଲାରେ ଅଭିଯୁକ୍ତଙ୍କ ନାମରେ ୧୦୫/୨୩ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଘଟଣାରେ ଅଧିକ ତଦନ୍ତ ଚାଲୁଛି ବୋଲି ସୂଚନା ଦେଇଛନ୍ତି ଜଟଣୀ ଥାନା ଅଧିକାରୀ ।
ଜଟଣୀରୁ ପ୍ରଶାନ୍ତ କୁମାର ସାହୁ