ହିତାଧିକାରୀଙ୍କ ଆବାସ ଟଙ୍କା ଖାଇଲା କିଏ ? ଥାନାରେ ଏତଲା ଦେଲେ ହିତାଧିକାରୀ…

କୋରାପୁଟ: ଆମ ହକ୍ ଆମକୁ କାହିଁକି ମିଳୁନି ? ଆମେ ଯୋଗ୍ୟ ହିତାଧିକାରୀ ତାଲିକାରେ ଅନ୍ତର୍ଭୁକ୍ତ ହେଲୁ । ଆମ ନାମରେ ଆବାସ ଯୋଜନା ବାବଦରେ ଅର୍ଥ ଆସିଲା, ମାତ୍ର ଆମକୁ ମିଳିଲା ନାମକୁ ମାତ୍ର । ବାକି ଅର୍ଥ କିଏ ନେଲା ? ଏଥିପାଇଁ ଦାୟୀ କିଏ ? ଆମ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ହେଲେ ସରକାରୀ ଅଧିକାରୀ ଅନ୍ୟ କାହା ଘରକୁ ଦର୍ଶାଇ ଚଞ୍ଚକତା କରି ଆମ ଅର୍ଥ ହଡପ କରିନେଲେ । ଏ ଗୁହାରୀ ହେଉଛି ନିରୀହ ଗରିବ ଲୋକଙ୍କର । ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଲା ସେମାନେ ଆବାସ ଯୋଜନା ହକ୍ ବାଟମାରଣା ହୋଇଥିବା ଅଭିଯୋଗ ଆଣିବା ସହ ଏ ବାବଦର ସମସ୍ତ ତଥ୍ୟଭିତ୍ତିକ ପ୍ରମାଣ ମଧ୍ୟ ଦେଇଛନ୍ତି ।
ସରକାର ଗରିବ ଲୋକଙ୍କୁ ମୌଳିକ ଅଧିକାର ଯୋଗାଇବା ଲକ୍ଷ୍ୟରେ ଆବାସ ଯୋଜନା ଆଣିଛନ୍ତି । ଏ ବାବଦରେ ଯୋଗ୍ୟ ହିତାଧିକାରୀଙ୍କୁ ୪ଟି କିସ୍ତିରେ ଅର୍ଥ ଦିଆଯିବା ସହ ସେମାନେ ସେହି ଅର୍ଥରେ ଗୃହ ନିର୍ମାଣ କଲେ କି ନାହିଁ ତାହାର ତଦାରଖ ନିମନ୍ତେ କର୍ମଚାରୀ ମଧ୍ୟ ନିୟୋଜନ କରିଛନ୍ତି । ହେଲେ ଏଥିରେ ଏବେ ବ୍ୟତିକ୍ରମ ଦେଖାଦେଇଛି । ଆବାସ ଯୋଜନାରେ ଘୋଟାଲା ହେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୋରିଗୁମ୍ମା ବ୍ଲକ କାମରା ପଞ୍ଚାୟତ ସୋଲାଗୁଡା ଗ୍ରାମରେ । ଏହି ଗ୍ରାମର ସାତ ଜଣ ହିତାଧିକାରୀଙ୍କୁ ଆଜକୁ ପାଞ୍ଚ ବର୍ଷ ପୂର୍ବେ ଆବାସ ମଞ୍ଜୁରୀ ମିଳିଥିଲା । ଆବାସ ଯୋଜନାରେ ପ୍ରଥମ କିସ୍ତି ଅର୍ଥରେ ହିତାଧିକାରୀ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାବେଳେ ବକେୟା ଅର୍ଥ ତାଙ୍କୁ ଆଜି ପର୍ଯ୍ୟନ୍ତ ମିଳିପାରିଲା ନାହିଁ । ଏପରିକି ସେମାନେ ଆଜି ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିଲେ ନାହିଁ । ଏ ନେଇ ସେମାନେ ବାରମ୍ବାର ବୋରିଗୁମ୍ମା ବିଡିଓଙ୍କୁ ଗୁହାରୀ କରି ବିଫଳ ହୋଇଥିଲେ । ଶେଷରେ ବାଧ୍ୟ ହୋଇ ଘୋଟଲା ବାବଦରେ ନିରପେକ୍ଷ ତଦନ୍ତ ଆଶାରେ ହିତାଧିକାରୀମାନେ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସରକାରଙ୍କ ମାଳମାଳ ଯୋଜନା ଲୋକଙ୍କୁ ସହଯୋଗ କରିବା ପରିବର୍ତ୍ତେ ବାଟବଣା ହୋଇ ଏବେ ଦିଗହରା ହୋଇଛି । ତେବେ ଦେଖିବାକୁ ବାକି ରହିଲା ଯୋଜନା ବାଟବଣା କରୁଥିବା ବ୍ୟକ୍ତିଙ୍କୁ ପ୍ରଶାସନ ଧରିବାରେ ସଫଳ ହେଉଛି ନା ଯୋଜନାର ସୁଫଳ ନ ପାଇଁ ହିତାଧିକାରୀ ହଇରାଣ ହେଉଛନ୍ତି ।
କୋରାପୁଟରୁ ସୁନୀଲ ଦାଶ