ସ୍ବାମୀକୁ ରୋଗଶଯ୍ୟାରେ ଛାଡି ପ୍ରେମିକ ପାଖରେ ଅୟସ କରୁଛି ସ୍ବାମୀଛଡା ପ୍ରେମିକା

ବାଲିଆପାଳ (ଚନ୍ଦନ କୁମାର ଅଣ୍ଡିଆ): ଯାହାକୁ ସାତ ଜନ୍ମର ସାଥୀ କରିଥିଲେ, ଆଜି ତାକୁ ରୋଗଶଯ୍ୟାରେ ଛାଡି ପ୍ରେମିକ ପାଖରେ ଅୟସ କରୁଛି ପ୍ରେମିକା । ସ୍ବାମୀ ମେଡିକାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସ୍ତ୍ରୀ ଆଉ କାହା ହାତ ଧରି ସୁଖର ସଂସାର ଗଢୁଛି । ସ୍ବାମୀର ଅସମୟରେ ଯେଉଁଠି ସ୍ୱାମୀର ସାହାରା ପାଲଟିବା କଥା, ସ୍ୱାମୀର ଲମ୍ବା ଆୟୁଷ ପାଇଁ ପୂଜା କରିବା କଥା, ସେ ସମୟରେ ନିଜ ସ୍ୱାମୀ ପାଖରୁ ମୁହଁ ବୁଲାଇ ନେଇ ପ୍ରେମିକ ସହ ଖୁସି ମନାଉଛି । ଏପରି ଲଜ୍ଜାଜନକ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଗୋପୀମୋହନପୁର ପଞ୍ଚାୟତର ଛମୌଜା ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗୋପୀମୋହନପୁର ଅଞ୍ଚଳର କୁଞ୍ଜ ବିହାରୀ ଦତ୍ତଙ୍କ ସହ ବାଲିଆପାଳ ଥାନା ସୁନାରୁଇ ଗ୍ରାମର ଦେବ କୁମାର ରଣଜିତଙ୍କ ଝିଅ ଦୀପିକା ରାଣୀଙ୍କ ୨୦୨୦ ମସିହାରେ ବୈଦିକ ରୀତି ନୀତି ଅନୁସାରେ ବାହାଘର ହୋଇଥିଲା । ଉଭୟଙ୍କର ଏବେ ୧୩ ମାସର ଏକ ଶିଶୁକନ୍ୟା ରହିଛି । କିଛି ଦିନ ପୂର୍ବେ କୁଞ୍ଜ ବିହାରୀଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସ୍ବାମୀ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଦୀପିକାରାଣୀ ନିଜର ସମସ୍ତ ସୁନା ଗହଣା, ପରିଚୟ ପ୍ରମାଣପତ୍ର, ୧୩ ମାସର କନ୍ୟାକୁ ଧରି ସ୍ୱାମୀ କିଣି ଦେଇଥିବା ସ୍କୁଟିରେ କେଉଁଆଡେ ପଳାଇଥିଲେ । ଏ ନେଇ ପରିବାର ପକ୍ଷରୁ ବହୁ ଖୋଜା ଖୋଜି କରିବା ପରେ ଦୀପିକାରାଣୀ ବର୍ତନା ପଞ୍ଚାୟତ ଖଇର୍ଦ୍ଦା ଗ୍ରାମର ଅନନ୍ତ କୁମାର ଜେନାଙ୍କ ପୁଅ କମଳା କାନ୍ତ ଜେନାଙ୍କ ସହ ଥିବା ସୂଚନା ପାଇଥିଲେ ।
ଖବର ପାଇ କୁଞ୍ଜ ବିହାରୀଙ୍କ ପରିବାର ଲୋକ ଦୀପିକାଙ୍କ ସହ କଥା ହୋଇଥିଲେ ବି ପ୍ରେମିକ ପାଗଳ ଦୀପିକା ଘରକୁ ଫେରିବାକୁ ରୋକ-ଠୋକ ମନା କରି ଦେଇଥିଲେ । ଏପରିକି ହସ୍ପିଟାଲ ବେଡରେ ରହି କୁଞ୍ଜ ବିହାରୀ ପତ୍ନୀଙ୍କୁ ଯେତେ ନେହୁରା ହୋଇଥିଲେ ବି ଶେଷରେ ନିରାଶ ହୋଇଥିଲେ ।
ପରେ ଗ୍ରାମବାସୀ, ଆତ୍ମୀୟ ସ୍ବଜନ, କିଛି ମାନ୍ୟଗଣ୍ୟ ବ୍ୟକ୍ତି, ଆଇନଜୀବୀ ଓ ନୋଟାରିଙ୍କ ଉପସ୍ଥିତିରେ ଉକ୍ତ ଯୁବକଙ୍କ ସହ ଦୀପିକାଙ୍କ ବିବାହ ହୋଇଥିଲା । ବିବାହ ପରେ ମହିଳା ଜଣକ ତାଙ୍କ ସାଥିରେ ନେଇ ଯାଇଥିବା ସ୍କୁଟି ଓ ସ୍ୱାମୀ କିଣି ଦେଇଥିବା କିଛି ସୁନା ଗହଣାକୁ ଶାଶୁ ଘର ଲୋକଙ୍କୁ ଫେରାଇ ଦେଇଥିବା ଜଣାପଡିଛି ।