୫ ବର୍ଷ ହେଲା ପୁଅକୁ ଖୋଜୁଛି ମା’…

ସାଲେପୁର (ଅଭୟ ଜେନା): ଦୀର୍ଘ ୫ ବର୍ଷ ହେବ ପୁଅ ନିଖୋଜ । ମା’ର ଗୁହାରୀ ଶୁଣିଲାନି ପ୍ରଶାସନ । ଶେଷରେ ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣା ଦେଲେ ଜଣେ ମା’ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନାରେ । ଧାରଣାରତ ମହିଳା ଜଣକ ହେଲେ ସାଲେପୁର ଥାନା ମିର୍ଜାପୁର ପଂଚାୟତ ଧର୍ମାଗତପୁରର ଦେବେନ୍ଦ୍ର ଭୂୟାଁଙ୍କ ପତ୍ନୀ ଗୋଲାପ ମଞ୍ଜରୀ ଭୂୟାଁ । ସୂଚନା ଅନୁସାରେ ଗୋଲାପଙ୍କ ପୁଅ ସରୋଜ କୁମାର ଭୂୟାଁ ଦୀର୍ଘ ୫ ବର୍ଷ ହେବ ସ୍ଥାନୀୟ ମହମ୍ମଦ ୱାସିଦ ନାମକ ଜଣେ ଦଲାଲ ମାଧ୍ୟମରେ ଦାଦନ ଖଟିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଏ ନେଇ ଗୋଲାପ ସାଲେପୁର ଥାନାରେ ଅଭିଯୋଗ କରିଥିଲେ । ତେବେ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ନ ଥିଲେ । ଏପରିକି ଗୋଲାପ ଏ ନେଇ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ମାନବାଧିକାର କମିଶନ, ଏସପି, ଡିଜିପି କାର୍ଯ୍ୟାଳୟ କଟକ, ଜିଲ୍ଲାପାଳ କଟକ, ତହସିଲଦାର ସାଲେପୁରଙ୍କୁ ଜଣାଇଥିଲେ ସୁଦ୍ଧା ତାଙ୍କୁ କୌଣସି ସୁଫଳ ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ସେ ଗାନ୍ଧିଜୀଙ୍କ ଫଟୋ ଧରି ସାଲେପୁର ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ଖବରପାଇ ସାଲେପୁର ଏସଡ଼ିପିଓ ଥାନାରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ସହ ଏକ ଟିମ୍ ଗଠନ କରାଯାଇ ମାର୍ଚ୍ଚ ମାସ ୧୫ ତାରିଖ ସୁଦ୍ଧା ପୁଅର ଅନୁସନ୍ଧାନ କରାଯିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଓହରିଥିଲେ ମହିଳା ।