ଓଡିଶା

ବଞ୍ଚିବାର ରାହା ଯୋଗାଇଛି ସଲପ ରସ

ଗଜପତି (ବିବେକାନନ୍ଦ ବେହେରା): ବଞ୍ଚିବାର ରାହା ଯୋଗାଇଛି ସଲପ ରସ । ସଲପ ରସରେ ପ୍ରସୁତ ଗୁଡରେ ରହିଛି ଔଷଧୀୟ ଗୁଣ । ଏଣୁ ଏହାକୁ ନେଇ ଜୀବନ ଜୀବିକା ଆଶାରେ ଆଦିବାସୀ ଲୋକ । ଆଦିବାସୀଙ୍କ ଜୀବନର ମୁଖ୍ୟ କାମ ହେଲା ଜଙ୍ଗଲରୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବା ଏବଂ ତାକୁ ସ୍ଥାନୀୟ ବଜାରରେ ବିକ୍ରିବଟା କରି ପରିବାର ପ୍ରତିପୋଷଣ କରିବା । ଜଙ୍ଗଲ ହିଁ ଏମାନଙ୍କ ଜୀବନ ଜୀବିକା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଜଙ୍ଗଲରେ ଥିବା ସଲପ ଗଛରୁ ରସ ସଂଗ୍ରହ କରି ଏହାକୁ ପାନୀୟ ଓ ଖାଦ୍ୟ ରୂପେ ବ୍ୟବହାର କରିବା ଏହି ଆଦିବାସୀଙ୍କୁ ନୂଆ ଦିଗ ପ୍ରଦାନ କରିଛି । ସଲପ ରସରୁ ଗୁଡ଼ ପ୍ରସ୍ତୁତ କରି ଦୈନନ୍ଦିନ କାମରେ ବ୍ୟବହାର କରିବା ସହିତ ବଜାରରେ ଓ ବାହାର ରାଜ୍ୟକୁ ବିକ୍ରିକରି ଭଲ ଦି ପଇସା ରୋଜଗାର କରୁଛନ୍ତି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ଅଧିନ ଚିକିସମେରା ଗାଁର ଲୋକ ।

କାହିଁ କେଉଁ କାଳରୁ ଆଦିବାସୀ ସଂପ୍ରଦାୟର ଲୋକେ ଜଙ୍ଗଲରେ ଥିବା ଏହି ସଲପ ଗଛରୁ ରସ ସଂଗ୍ରହ କରି ସେଥିରୁ ଗୁଡ ପ୍ରସ୍ତୁତ କରି ସେମାନଙ୍କ ପର୍ବପର୍ବାଣୀ ଓ ଘରେ ବ୍ୟବହାର କରୁଥିଲେ । ଏହି କୌଳିକ ବୃତ୍ତିକୁ ଆପଣାଇଛନ୍ତି ଗ୍ରାମର ୪ଟି ପରିବାରର ଲୋକେ । ସେମାନେ ହେଲେ ବାବୁଲା ମଳିକ, ଶ୍ୟାମ ମଳିକ, ଡ୍ରିକି ମଳିକ, କାଳିଆ ମଳିକ । ଏମାନେ ୨ ମାସ ହେଲା ଗୁଡ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ପ୍ରତ୍ୟେକ ଦିନ ସକାଳେ ଓ ସଞ୍ଜରେ ୧୧ଟି ସଲପ ଗଛରୁ ନିର୍ଗତ ପ୍ରାୟ ୧୨୦ ଲିଟର ରସକୁ ହାଣ୍ଡି ସାହାଯ୍ୟରେ ସଂଗ୍ରହ କରୁଛନ୍ତି । ତାକୁ ବଡ଼ କଡେଇରେ ରଖି କାଠ ଚୁଲି ଲଗାଇ ଗରମ କରାଯାଏ । ରସର ସମସ୍ତ ପାଣି ବାଷ୍ପିଭୂତ ହେବା ପରେ ଶେଷରେ ସେଥିରୁ ୪୦ରୁ ୫୦ କିଲୋ ଗୁଡ ପ୍ରସ୍ତୁତ ହୁଏ । ଏହି ଗୁଡକୁ ହାଇଦ୍ରାବାଦ କମ୍ପାନୀର ଜନୈକ ବ୍ୟକ୍ତି ଆସି କିଲୋପ୍ରତି ୧୬୦ ଟଙ୍କା ମୂଲ୍ୟରେ କିଣି ନେଇଥାନ୍ତି ବୋଲି ଗୁଡ଼ ପ୍ରସ୍ତୁତକାରୀ କହିଛନ୍ତି । ଏହି ଗୁଡକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ । ବିଶେଷ କରି ବାତ ହେଲେ ଗୁଡକୁ ଗରମ ପାଣିରେ ସିଝାଇ ସେହି ପାଣିକୁ ଥଣ୍ଡା କରି ପିଇବା ଦ୍ୱାରା ବାତ ରୋଗରୁ ଉପଶମ ମିଳିଥାଏ । ଏପରିକି ଗୋଡ଼, ହାତ, ଅଣ୍ଟା ବିନ୍ଧା ମଧ୍ୟ ଦୂର ହୁଏ ବୋଲି ଗୁଡ ପ୍ରସ୍ତୁତକାରୀ କହିଛନ୍ତି ।

୧୦ କିଲୋ ଗୁଡ ପ୍ରସ୍ତୁତ ପାଇଁ ଏମାନଙ୍କୁ ୫ ରୁ ୭ ଘଣ୍ଟା ସମୟ ଲାଗିଥାଏ । ଅପରପକ୍ଷେ ଏହି ବୃତ୍ତିକୁ ଏବେ ସ୍ଥାନୀୟ ବ୍ଳକର ଲୁବୁରୁ ଓ ଟାଙ୍ଗିଲିପଦର ଗାଁର କିଛି ଲୋକ ଆପଣାଇଥିବା ଜଣାପଡେ । ଯଦି ସରକରାଙ୍କ ତରଫରୁ ଏହି ଗୁଡ ପ୍ରସ୍ତୁତକାରୀଙ୍କୁ ସହାୟତା ମିଳନ୍ତା ତେବେ ସେମାନେ ଅଧିକରୁ ଅଧିକ ପରିମାଣର ଗୁଡ଼ ପ୍ରସ୍ତୁତ କରି ବାହାର ରାଜ୍ୟକୁ ବିକ୍ରିକରି ଲାଭବାନ ହୋଇପାରନ୍ତେ ବୋଲି କହିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଅବକାରୀ ବିଭାଗ ସଲପ ରସ ବିକ୍ରି କରିବା ଉପରେ ରୋକ ଲଗାଇଛି । ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଏହାକୁ ନେଇ ବଞ୍ଚୁଥିବା ବ୍ୟବସାୟୀ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା