ନିର୍ମାଣ ହେବାକୁ ଯାଉଛି ବାବା କପିଳେଶ୍ଵର ଶୈବପୀଠର ଭବ୍ୟ ମନ୍ଦିର

କୋଟପାଡ଼ (ସୁନୀଲ ଦାଶ): କୋରାପୁଟ ଜିଲ୍ଲା କୋଟପାଡ଼ ସ୍ଥିତ ବାବା କପିଳେଶ୍ଵର ଶୈବପୀଠର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଏ ନେଇ ପୂର୍ଣ୍ଣ ବିଧିରେ ଆଜ୍ଞାମାଳ ପରେ ପ୍ରାରମ୍ଭ ହୋଇଛି ପୁରାତନ ମନ୍ଦିରର ବିଲୋପନ କାର୍ଯ୍ୟ । ଏହି ଶୈବପିଠଟି ନଳରାଜାଙ୍କ ଅମଳରୁ ପ୍ରାୟ 1800 ଶତାବ୍ଦିରେ ନିର୍ମିତ ହୋଇଥିବା ଇତିହାସ ରହିଛି । ତେବେ ଏହାର ସ୍ମୃତିର ରକ୍ଷା ପାଇଁ ଏବଂ ଏହାର କୟାକଳ୍ପର ପୁନଃ ନିର୍ମାଣ ନିମନ୍ତେ ପ୍ରାୟ ଏକ କୋଟି ଖର୍ଚ୍ଚ ହୋଇ ଏକ ବର୍ଷ ମଧ୍ୟରେ ସ୍ଥାପନ ହେବାକୁ ଯାଉଛି ନୂତନ ମନ୍ଦିର । ରାଜସ୍ଥାନରୁ କାରିଗର ଆସି ପଥରରେ ଏକ ଭବ୍ୟ ପ୍ରସ୍ଥର ନିର୍ମିତ ମନ୍ଦିରର ନିର୍ମାଣ କରିବେ ।
ଏହି ପରିପ୍ରେକ୍ଷୀରେ ଆଜିଠାରୁ ବୃଷଭଙ୍କ ଦ୍ୱାରା ବିଲୋପନ ଵିଧି ସମାପନ ହେବା ପରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସଭାପତି ଗଣେଶ ଚନ୍ଦ୍ର ପଣ୍ଡା, ଉପ ସଭାପତି ନରେନ୍ଦ୍ର କୁମାର ସ୍ୱାଇଁ, ସମ୍ପାଦକ ଶିବ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ସଦଶ୍ୟ ଦିଲ୍ଲୀପ ଦାଶ, ରାଜ ମହାନ୍ତି ଏବଂ ମୁନ୍ନା ମହାନ୍ତି, ଏନ୍ ସନ୍ତୋଷ କୁମାର ଏବଂ ତିନି ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ କୋଟପାଡ଼ର ବୁଦ୍ଧିଜୀବୀ ଏବଂ ଭାରତ ମିଡ଼ିଆ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶୁଭ କାର୍ଯ୍ୟରେ ସହଯୋଗ କରିଥିଲେ ।
ଆସନ୍ତା ଫେବୃଆରୀ ମାସରେ ପ୍ରଥମ କରି ରାଜସ୍ଥାନରୁ ପ୍ରସ୍ଥର ଆସିବା କାର୍ଯ୍ୟ ପ୍ରାରମ୍ଭ ହେବ ଏବଂ ପର୍ଯ୍ୟାୟକ୍ରମେ ପ୍ରାୟ ଦଶଟି ଟ୍ରେଲରରେ ସୁଦୂର ରାଜସ୍ଥାନରୁ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ଥର ଆସିବ ବୋଲି କହିଛନ୍ତି ସଭାପତି ମହୋଦୟ ।