ଧାନମଣ୍ଡି ଶୁଭାରମ୍ଭକୁ ନେଇ ଚାରିଆଡେ ଚହଳ

ବେଗୁନିଆପଡା (ବାପୁନି କୁମାର ମାଲୁ): ଗୋଟିଏ ଦିନରେ ଗୋଟିଏ ମଣ୍ଡିର ଦୁଇ ଦୁଇଥର ଶୁଭାରମ୍ଭ ହୋଇଛି । ବିଧାୟିକା ମଣ୍ଡି ଶୁଭାରମ୍ଭ ଉତ୍ସବକୁ ଆସିବାରେ ବିଳମ୍ବ କରିବାରୁ ପ୍ରଥମେ ମଣ୍ଡି ଶୁଭାରମ୍ଭ କରିଥିଲେ ସମବାୟ ସମିତି ସଭାପତି ଏବଂ ଚାଷୀ ନେତା । ମାତ୍ର ପରମୂହୂର୍ତ୍ତରେ ବିଧାୟିକା ଆସିବାରୁ ଆନୁଷ୍ଠାନିକ ଭାବେ ପୁଣି ମଣ୍ଡି ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ସ୍ଥିତ ସେବା ସମବାୟ ସମିତିରେ ଦୁଇ ଦୁଇଥର ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି ।
ସୂଚନା ଅନୁସାରେ, ମଣ୍ଡି ଶୁଭାରମ୍ଭ ପାଇଁ ସମୟ ଧାର୍ଯ୍ୟ ହୋଇଥିବାବେଳେ ମଣ୍ଡି ଉଦଘାଟନ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କରିଥାଆନ୍ତେ । ମାତ୍ର ତାଙ୍କ ଆସିବାରେ ବିଳମ୍ବ ହେବାରୁ ଅନୌପଚାରିକ ଭାବେ ସେବା ସମବାୟ ସମିତି ସଭାପତି ରବିନାରାୟଣ ପଣ୍ଡା, ଏବଂ ପରିଚାଳନା ନିର୍ଦ୍ଦେଶକ ତଥା ଚାଷୀ ନେତା ରଙ୍ଗନାଥ ସ୍ୱାଇଁଙ୍କ ଉପସ୍ଥିତିରେ ଧାନ ମଣ୍ଡିର ଶୁଭାରମ୍ଭ ହୋଇଥିଲା । ମାତ୍ର ପରମୂହୂର୍ତ୍ତରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆସି ଆନୁଷ୍ଠାନିକ ଭାବେ ମଣ୍ଡି ଉଦଘାଟନ କରିଥିଲେ । ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ, ସମାଜସେବୀ ଚିତ୍ରସେନ ପରିଡା, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ । ତେବେ ଗୋଟିଏ ଧାନ ମଣ୍ଡିକୁ ଦୁଇଥର ଉଦଘାଟନ ହେବା ଘଟଣା ଏବେ ସମ୍ପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ପାଲଟିଛି ।