“ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା” ଆୟୋଜିତ

ଗଜପତି (ବିବେକାନନ୍ଦ ବେହେରା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ସାଂସ୍କୃତିକ ସଂଗଠନ ପଦାମୃତ ନୃତ୍ୟାୟନ ଦ୍ଵାରା “ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା” ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଟାଉନ ହଲ୍ ପରିସରରେ ଅନୁଷ୍ଠିତ ଏହି ସ୍ମୃତି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ବିଧାୟକ କେ. ନାରାୟଣ ରାଓ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ପୌରାଧକ୍ଷା ନିର୍ମଳା ସେଠୀ, ସମ୍ପାଦକ ଭକ୍ତି ସଙ୍ଗୀତ ସଂସଦ ପୂର୍ଣ୍ଣଚନ୍ଦ୍ର ରଥ, ପୂର୍ବତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାମଶଙ୍କର ବେହେରା ଯୋଗ ଦେଇଥିଲେ । ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ଦିଗରେ ଅନୁଷ୍ଠାନର ପ୍ରୟାସକୁ ଅତିଥିଗଣ ଭୂୟସୀ ପ୍ରଶଂସା କରିଥିଲେ ।

ଏହି ଅବସରରେ ପଦାମୃତ ନୃତ୍ୟାୟନର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଓଡିଶୀ ନୃତ୍ୟ ସହ ବିଭିନ୍ନ ପଲ୍ଲୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା । ଅନୁଷ୍ଠାନର ସମ୍ପାଦିକା ପ୍ରୀତିପ୍ରିୟା ବେହେରାଙ୍କ ସହ ମନୋଜ ପାଢ଼ୀ ଓ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିଥିଲେ ।