ପୁଣି ବଢିଲାଣି ଚାଷୀ ଅସନ୍ତୋଷ

ଖରିଫ ମଣ୍ଡି ଆରମ୍ଭ ହୋଇ ୬ଦିନ ବିତିଲାଣି । ହେଲେ ଏବେ ବି ଜୟପୁର ଉପଖଣ୍ଡର ଅଧିକାଂଶ ମଣ୍ଡି ଖୋଲିନି । ଫଳରେ ମଣ୍ଡିରେ ଶହ ଶହ ବସ୍ତା ଧାନ ରଖି ଶୀତ କାକରରେ ଜଗି ରହିଛନ୍ତି ଚାଷୀ । ଲେମ୍ପସ କର୍ମଚାରୀ ଥିଲେ ବି ମିଲରସଙ୍କ ଦେଖା ମିଳୁନି । କେଉଁଠି ଚାଷୀ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକେନ୍ ପାଇଥିଲେ ବି ମଣ୍ଡି ଖୋଲା ନହେବା କାରଣରୁ ନିଜ ଧାନ ବିକ୍ରି କରିପାରୁନାହାନ୍ତି । ଆଉ କେଉଁଠି ଚାଷୀ ନିଜ ଧାନ, ମଣ୍ଡିରେ ଗଦା କରିଥିଲେ ବି ଟୋକେନ୍ ପାଇନାହାନ୍ତି । ଜୟପୁର ଉପକଣ୍ଡରେ ୭୭ ଟି ମଣ୍ଡି ରହିଛି । ଧାନ କ୍ରୟ ପାଇଁ ୪୫ଟି ମଣ୍ଡି ଲେମ୍ପସ,୨୧ଟି ମଣ୍ଡିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୨ଟି ମଣ୍ଡି ପାଣି ପାଞ୍ଚାୟତର ଦାଇତ୍ୱରେ ରହିଛି । ଗତ ୧୫ତାରିଖରୁ ଜିଲାର କୋଟପାଡ଼ ଏସ୍.ବି ନୂଆଗାଁରୁ ମଣ୍ଡି ଆରମ୍ଭ ହୋଇଥିଲେ ବି ପ୍ରଥମ ଦିନରୁ ଚାଷୀ ଅସନ୍ତୋଷ କାରଣରୁ ଧାନ କିଣାବିକା ହୋଇପାରିନି ।
ବୋରିଗୁମ୍ମା ବ୍ଲକରେ ମଧ୍ୟ ସମବସ୍ଥା ଦେଖିବାକୁ ମିଳିଛି । କୁମୁଲି ଓ ତରଭଟ୍ଟାରେ ମଣ୍ଡି ଖୋଲିଥିଲେ ବି ଚାଷୀଙ୍କ ଧାନ ଉଠିପାରିନି । ଜୟପୁର ଉପଖଣ୍ଡର ୫୪ଟି ମଣ୍ଡି ଏପର୍ଯ୍ୟନ୍ତ ଖୋଲିନି । SHG ଓ ପାଣିପାଞ୍ଚାୟତ ହାତରେ ଥିବା ବଳକା ୨୩ ଟି ମଣ୍ଡି ଖୋଲିଛି, ହେଲେ ଧାନ କିଣା ମନ୍ଥର ଦେଖାଦେଇଛି । ମଣ୍ଡି ଖୋଲିବାରେ ଅହେତୁକ ବିଲମ୍ବକୁ ନେଇ ବଢୁଛି ଚାଷୀ ଅସନ୍ତୋଷ । ସେମାଳାଗୁଡା, ବଡଜିଉନା ମଣ୍ଡିର ଶହ ଶହ ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ଶୀଘ୍ର ମଣ୍ଡି ଖୋଲିବାକୁ ଦାବି କରିଛନ୍ତି ।
ସେପଟେ ମଣ୍ଡି ବ୍ୟବସ୍ଥା ଆରମ୍ଭ ହୋଇ ବର୍ଷ ବର୍ଷ ବିତି ଯାଇଛି । ପ୍ରତି ମଣ୍ଡିରେ ପରିଚାଳନା ପାଇଁ ଚାଷୀଙ୍କଠାରୁ କୋଟି କୋଟି ଟଙ୍କା ଅର୍ଥ ଆଦାୟ କରୁଛି ନିୟନ୍ତ୍ରିତ ବଜାର କମିଟି । ଏପର୍ଯ୍ୟନ୍ତ ୫୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଗଛିତ ରହିଛି । ଜୟପୁର ଉପଖଣ୍ଡର ୭୭ ଟି ମଣ୍ଡି ଚାଲିଥିବା ବେଳେ କୌଣସି ମଣ୍ଡିରେ ଉଚିତ ଭିତ୍ତିଭୂମି ହୋଇପାରିନି । ଧାନ ଢାଙ୍କିବା ପାଇ ପାଲ ହେଉ କି ଧାନ ରଖିବା ପାଇଁ ବସ୍ତା ନିଜର ବ୍ୟବସ୍ଥା ନିଜେ କରୁଛନ୍ତି ଚାଷୀ । କୌଣସି ମଣ୍ଡିରେ ଧାନ ଓଜନ ପାଇଁ କଣ୍ଟା ନଥିବାରୁ ବିନା ଓଜନରେ ଚାଲୁଛି ଧାନ କିଣାବିକା । ଯାହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି । ଦିନ ଗଢ଼ି ଚାଲିବା ସହ ଏହାର ସମାଧାନ ଦିଗରେ କିମ୍ବା ବିକଳ୍ପ ବ୍ୟବସ୍ଥା ଦିଗରେ ପଦକ୍ଷେପ ଗ୍ରହଣ କରୁନି ପ୍ରଶାସନ । ପ୍ରତ୍ୟେକ ମଣ୍ଡିର ଭିତ୍ତିଭୂମି ସଜାଡ଼ିବା ପାଇଁ ବରମ୍ଭାର ସରକାର ଏବଂ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ସୁଫଳ ମିଳିନଥିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।
ମଣ୍ଡି ଭିତ୍ତିଭୂମିକୁ ନେଇ ନିୟନ୍ତ୍ରିତ ବଜାର କମିଟି ଜୟପୁରର ଅଧ୍ୟକ୍ଷ ତଥା ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନ କଣ କହୁଛନ୍ତି ଟିକେ ଶୁଣନ୍ତୁ । ଦୁଇ ତିନିଦିନ ମଧ୍ୟରେ ମଣ୍ଡି ଗୁଡିକ ଖୋଲିବ ଧାନ କିଣା ମଧ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଜୟପୁର ଉପଜିଲ୍ଲାପାଳ । ଜୟପୁର ଉପଖଣ୍ଡରେ ଧାନ ମଣ୍ଡି ଆରମ୍ଭ ହେଲା ସତ ହେଲେ ୬ଦିନ ବିତିଥିଲେ ବି କୌଣସି ସ୍ଥାନରେ ଧାନ କିଣା ଆରମ୍ଭ ହୋଇପାରିନି । ଗୋଟିଏ ପଟେ ମଣ୍ଡିର ଭିତ୍ତିଭୂମି ଅଭାବ, ଅନ୍ୟପଟେ ଧାନ କିଣାରେ ଅହେତୁକ ବିଲମ୍ବକୁ ନେଇ ବଢୁଛି ଚାଷୀ ଅସନ୍ତୋଷ ।
ବୋରିଗୁମ୍ମାରୁ ବିଘ୍ନେଶ୍ୱର ଷଡ଼ଙ୍ଗୀ