ଶ୍ରମିକଙ୍କୁ ମିଳୁନି ତାଙ୍କ ହକ୍: ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନିୟମିତତା ଅଭିଯୋଗ

ନୟାଗଡ: ଦୀର୍ଘ ୫ ବର୍ଷ ଧରି ନିର୍ମାଣ ଶ୍ରମିକଙ୍କୁ ମିଳୁନି ଶ୍ରମିକ ପରିଚୟପତ୍ର । ଏପରିକି ସେମାନଙ୍କୁ ମିଳୁନି ମୃତ୍ୟୁକାଳୀନ ସହାୟତା, ଝିଅ ବିବାହ ପାଇଁ ସହାୟତା ରାଶି ଏବଂ ପାଠପଢା ସହାୟତା ରାଶି । ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଶ୍ରମିକ ସଂଗଠନ । ଏପରିକି କାର୍ଯ୍ୟାଳୟରେ ଅଣସଂଗଠିତ ଶ୍ରମିକଙ୍କ ମୃତ୍ୟୁ ସହାୟତା, ପରିଚୟପତ୍ର ଆଦି ପ୍ରଦାନ କରାଯାଉନାହିଁ । ଫଳରେ ଶ୍ରମିକମାନେ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଖାଲି ସେତିକି ନୁହେଁ । ଜିଲ୍ଲା ଶ୍ରମ ଅଧିକାରୀ କୁଆଡେ ଅଫିସ୍ ଆସୁନ ଥିବା ମଧ୍ୟ ଅଭିଯୋଗ ହୋଇଛି ।
ଏ ନେଇ ବହୁ ଆନ୍ଦୋଳନ ପରେ ଗତ ଅକ୍ଟୋବର ୨୭ରେ ପ୍ରାୟ ୮ଶହ ଶ୍ରମିକ, ହିତାଧିକାରୀ, ଶ୍ରମିକ ସଂଗଠନ କର୍ମକର୍ତା, ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ, ଗ୍ରାମାଞ୍ଚଳ ଶ୍ରମ ନିରିକ୍ଷକ ଏବଂ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଆସନ୍ତା ୧ମାସ ମଧ୍ୟରେ ସମସ୍ତ ସହାୟତା ପ୍ରଦାନ ସହ ମାସକୁ ୧ହଜାର ଲେଖାଏଁ ନିର୍ମାଣ ଶ୍ରମିକ ପରିଚୟପତ୍ର ପ୍ରଦାନ କରିବାକୁ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ମାତ୍ର ଆଜି ଯାଏଁ ତାହାର କୌଣସି ସୁଫଳ ଶ୍ରମିକଙ୍କୁ ମିଳିପାରିଲା ନାହିଁ ବୋଲି କହିଛନ୍ତି ଶ୍ରମିକ ନେତା ବସୁଦେବ ମହାନ୍ତି ଏବଂ ଶ୍ରୀକାନ୍ତ ପଟ୍ଟନାୟକ । ଏ ନେଇ ଶ୍ରମିକମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି ।
ଏହି ଅନଶନକୁ ସମାଜସେବୀ ପ୍ରଭାସିନୀ ନନ୍ଦ, ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ସି.ଆଇ.ଟି.ୟୁ. ନେତା ବିଶ୍ବନାଥ ମହାପାତ୍ର, କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାସ, ଆଶାକର୍ମୀ ସଂଘ, ପାଚିକା ସହାୟିକା ସଂଘଙ୍କ ସମେତ ଜିଲ୍ଲାର ୧୬ଟି ଶ୍ରମିକ ସଂଗଠନ ସମର୍ଥନ କରିଛନ୍ତି ।
ନୟାଗଡ଼ରୁ ନିରଞ୍ଜନ ଦାସ