ପଦ୍ମପୁର ଉପନିର୍ବାଚନ: କାହା ସପକ୍ଷରେ ରହିବ ଜନତାଙ୍କ ରାୟ

ପଦ୍ମପୁରରେ ନେତା ବାଛୁଛନ୍ତି ଜନତା । ଚଳିତ ବର୍ଷର ଶେଷ ମତଦାନ ଆଜି ଅନୁଷ୍ଠିତ ହେଉଛି । ତେବେ ସବୁଠି ଗୋଟିଏ ଚର୍ଚ୍ଚା ପଦ୍ମପୁର ହେବ କାହାର । ଜନତା କାହା ଉପରେ କରିବେ ଭରଷା । ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହା ଅପରାହ୍ଣ ୪ଟା ଯାଏ ଚାଲିବ ।
ପଦ୍ମପୁର ନିର୍ବାଚନ ମଣ୍ଡଳୀର ମୋଟ୍ ୩୧୯ ବୁଥରେ ୨ ଲକ୍ଷ ୬୯ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । ସେଥିମଧ୍ୟରୁ ୧ ଲକ୍ଷ ୩୦ ହଜାର ୩୩୧ ପୁରୁଷ ଓ ୧ ଲକ୍ଷ ୨୮ ହଜାର ୯୮୧ ମହିଳା ଭୋଟର ଅଛନ୍ତି । ଭୋଟ ଗ୍ରହଣ ପାଇଁ ମୋଟ ୧୨୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ସମ୍ବେଦନଶୀଳ ୭୯ଟି ବୁଥ୍ ଏବଂ ମାଓ ଅଧ୍ୟୁଷିତ ୭୪ଟି ବୁଥ୍ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।
ମୋଟ ୧୨୦ ବୁଥରେ ୱେବ୍ କାଷ୍ଟିଂ ବ୍ୟବସ୍ଥା ସାଙ୍ଗକୁ ୬୬ଟି ବୁଥ୍ ସିସିଟିଭି ସର୍ଭେଲାନ୍ସ ଭିତରେ ରହିଛି । ସୁରକ୍ଷା ବ୍ୟବସ୍ଥାରେ ୨୦୬ ପୋଲିସ ଅଫିସର, ୨୧ ପ୍ଲାଟୁନ୍ ସଶସ୍ତ୍ର ପୋଲିସ ଫୋର୍ସକୁ ମିଶାଇ ମୋଟ ୧୪୧୩ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ୯ କମ୍ପାନି କେନ୍ଦ୍ରୀୟ ଫୋର୍ସ ମଧ୍ୟ ନିୟୋଜିତ ଅଛନ୍ତି । ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ୪୪ ଜଣ ସେକ୍ଟର ଅଧିକାରୀଙ୍କୁ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ ଦିଆଯାଇଛି ।
ପଦ୍ମପୁରରେ ବିଜେଡି ବର୍ଷା ସିଂ ବରିହା ପ୍ରାର୍ଥୀ ଥିବାବେଳେ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ଏବଂ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି । ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁର ଆସନ ଖାଲି ପଡ଼ିଥିଲା । ଆଜି ମତଦାନ ଶେଷ ହେବା ପରେ ୮ ତାରିଖରେ ଗଣତି ହେବ । ଆଉ ସେହିଦିନ ଜଣା ପଡ଼ିବ ଏଥର କାହା ସପକ୍ଷରେ ରହିବ ଜନତାଙ୍କ ରାୟ ।