ଧାମନଗର ପରେ ଏବେ ପଦ୍ମପୁରରେ ବିଜେପିର ସେମ୍ ଷ୍ଟ୍ରାଟେଜି

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ନଭେମ୍ବର ୧୭ ତାରିଖ ଯାଏଁ ପ୍ରାର୍ଥିପତ୍ର ଦାଖଲ ଶେଷ ହେବ । ୧୮ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହୋଇ ୨୧ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ । ଡିସେମ୍ବର ୫ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ଡିସେମ୍ବର ୮ରେ ଭୋଟ୍ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ । ଏ ନେଇ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତିନି ପ୍ରମୁଖ ଦଳ ନିଜ ପ୍ରାର୍ଥୀ ଚୟନ କରିବାରେ ଲାଗି ପଡ଼ିଲେଣି । ବିଜେଡିରୁ ପ୍ରାର୍ଥୀ ହେବା ନେଇ ଦିବଂଗତ ବିଜୟ ରଂଜନ ସିଂ ବରିହାଙ୍କ ପରିବାରରୁ ସାମ୍ନାକୁ ଆସୁଛି ଦୁଇଟି ଚେହେରା । ଜଣେ ବିଜୟ ରଂଜନଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହା ଓ ଅନ୍ୟ ଜଣେ ହେଲେ ତାଙ୍କ ପୁତୁରା ବୋହୂ ମାଧବୀ ସିଂ ବରିହା । ତେବେ ଦଳ କାହାକୁ ଟିକେଟ୍ ଦେବ ତାହା ସମୟ କହିବ ।
ଅପରପକ୍ଷେ ଧାମନଗର ଫଳାଫଳ ପରେ ବିଜେପି କ୍ୟାମ୍ପ ଏବେ ଉତ୍ସବ ମୁଖର । ଧାମନଗର ଭଳି ପଦ୍ମପୁର ଉପନିର୍ବାଚନରେ ମଧ୍ୟ ବିଜେପିର ସେମ୍ ଷ୍ଟ୍ରାଟେଜି ରହିବ ବୋଲି ଚର୍ଚ୍ଚା ହେଉଛି । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏଠାରୁ ଦଳୀୟ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ତେବେ ଧାମନଗର ଉପନିର୍ବାଚନରେ ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପଦ୍ମପୁରରେ ଷ୍ଟାର ପ୍ରଚାରକ ହେବେ ବୋଲି ଜଣାପଡିଛି ।
ସେହିପରି କଂଗ୍ରେସ୍ ପର୍ଯ୍ୟବେକ୍ଷକ ଟିମ୍ ୪ ଜଣଙ୍କ ନାଁ ହାଇକମାଣ୍ଡକୁ ସୁପାରିଶ କରିଛି । ସେମାନଙ୍କ ମଧ୍ୟରୁ ରେସରେ ଆଗରେ ଅଛନ୍ତି ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ।