ଚନ୍ଦ୍ରଗ୍ରହଣ କାରଣରୁ ଭୋରୁ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହା ସହିତ ଆଜି ହେଉଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗହଣ । ଓଡ଼ିଶାର ଇତିହାସ ଓ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପାଳନ କରାଯାଇଛି ବୋଇତ ବନ୍ଦାଣ । ଓଡ଼ିଆ ସାଧବ ପୁଅ ଇଣ୍ଡୋନେସିଆର ବାର୍ଲି, ଜାଭା ଓ ସୁମାତ୍ରାକୁ ବାଣିଜ୍ୟ ପାଇଁ ନୌଯାତ୍ରା କରୁଥିଲେ । ଏହି ପରମ୍ପରାକୁ ରୁଦ୍ଧିମନ୍ତ କରିବା ନିମନ୍ତେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ କରାଯାଇଥାଏ । ତେବେ ଆଜି ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ହିନ୍ଦୁ ପରମ୍ପରା ଅନୁଯାୟୀ ଅନେକ ରୀତିନୀତି ପାଳନ କରାଯାଉଛି । ଭୋର ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିଛି । ଅପରାହ୍ନ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ । କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ରାତି ୨ଟାରୁ ଭୋର ୫ଟା ୩୮ ମିନିଟ ଯାଏଁ ଡଙ୍ଗା ଭସାଇଥିଲେ ଶ୍ରଦ୍ଧାଳୁ । ଗ୍ରହଣ ଯୋଗୁଁ ସୋମବାର ସାରାରାତି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଜାରି ରହିଥିଲା ।
ଗ୍ରହଣ ନୀତିକୁ ଦୃଷ୍ଟିରେ ରଖି ଆଜି ସକାଳ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ତେବେ ଅପରାହ୍ଣ ୨ଟା ୩୮ ପର୍ଯ୍ୟନ୍ତ ସୁନାବେଶ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।
ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ବିନ୍ଦୁ ସାଗରରେ ଆଜି ଭୋରରୁ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ସେହିପରି କଟକରେ ମଧ୍ୟ ଆଜି ଭୋରରୁ ଡଙ୍ଗା ଭସା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଗଡ଼ଗଡ଼ିଆ ଘାଟରେ ଶତାଧିକ ଶ୍ରଦ୍ଧାଳୁ ବୋଇତ ବନ୍ଦାଣ କରିଥିଲେ । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଥିଲେ ଶ୍ରଦ୍ଧାଳୁ ।