ଉପ ନିର୍ବାଚନରେ ନିୟୋଜିତ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ । ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଧାମନଗର ଉପ ନିର୍ବାଚନରେ ନିୟୋଜିତ ଥିବା ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ନଟବର ମୁଣ୍ଡା । ତାଙ୍କ ଘର ଭଦ୍ରକ ଜିଲ୍ଲା ବାଗୁରାଇ ଅଞ୍ଚଳରେ ବୋଲି ସୂଚନା ମିଳିଛି । ୧୩୯ ନମ୍ବର ବୁଥର ପୋଲିଂ ଅଫିସର ଭାବେ ନିୟୋଜିତ ଥିଲେ ନଟବର ମୁଣ୍ଡା ।
ଗତକାଲି ବୁଥ୍ ପହଞ୍ଚିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଏସସିବି ପଠାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ପୋଲିଂ ଅଫିସରଙ୍କ ମୃତ୍ୟୁ ହୋଇଛି । ଏ ନେଇ ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଅପରପକ୍ଷେ ନଟବରଙ୍କ ମୃତ୍ୟୁ ଖବରକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ସମବେଦନା ଜଣାଇଛନ୍ତି । ଆଜି ଧାମନଗର ଉପ ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ଏହି ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ମୋଟ ୨୫୨ଟି ମତଦାନ କେନ୍ଦ୍ରରେ ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ ।