ବନ୍ଧୁକ ମୁନରେ ଲୁଟ୍ ଘଟଣାର ପର୍ଦ୍ଦଫାଶ୍ କଲା ପୋଲିସ । ଘଟଣାରେ ସମ୍ପୃକ୍ତ ୨ ଲୁଟେରା ଏବେ ଜେଲର ଚାରି କାନ୍ଥରେ ବନ୍ଦ

ପୂର୍ବତନ ସେନା କର୍ମଚାରୀଙ୍କ ମୁଣ୍ଡକୁ ଆଘାତ କରି ବନ୍ଧୁକ ମୁନରେ ଲୁଟ୍ ଘଟଣାର ପର୍ଦ୍ଦଫାଶ୍ କରିଛି କୋଦଳା ପୋଲିସ । ଘଟଣାରେ ସମ୍ପୃକ୍ତ ୨ ଜଣ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ଗଞ୍ଜାମ ଜିଲ୍ଲାର କୋଦଳା ପୋଲିସ । କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ବରେ ଘଟଣାର ଅନୁସନ୍ଧାନ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଉଭୟଙ୍କୁ ୬୪୬/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ । ଅପରପକ୍ଷେ ଫେରାର୍ ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଖୁବଶୀଘ୍ର ଧରିବ ବୋଲି ସୂଚନା ଦେଇଛନ୍ତି ଥାନାଧିକାରୀ ଉମାକାନ୍ତ ସାହୁ । ସୂଚନା ଅନୁସାରେ, ଗତ ୧୨ ଡିସେମ୍ବର ୨୦୨୧ରେ ଅଙ୍ଗାର ଗାଁ ନୂଆଗଡ଼ ମୁଖ୍ୟ ରାସ୍ତାରେ ୩ ଜଣ ଲୁଟେରା ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ମୁଣ୍ଡରେ ଆଘାତ କରି ବନ୍ଧୁକ ମୁନରେ ତାଙ୍କ ନିକଟରୁ ୧୦ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ । ଏ ନେଇ ପୂର୍ବତନ ସେନା କର୍ମଚାରୀ ପୁଷ୍ପ ପ୍ରକାଶ ବେହେରା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମର ୩୭ ବର୍ଷୀୟ ରାଜେନ୍ଦ୍ର ପ୍ରଧାନ ଓ ୨୧ ବର୍ଷୀୟ ଅନାଥ ମୁନିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫବେଳେ ଉଭୟଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ୨ଟି ଗୁଳି, ୧୦ ହଜାର ଟଙ୍କା ଜବତ ହୋଇଛି । ତେବେ ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ଥିବା ବେଳେ ତାକୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ