ରାସନ ସାମଗ୍ରୀ ଯୋଗାଣକୁ ନେଇ ଅପ୍ରୀତିକର ପରିସ୍ଥିତି

କୋଦଳା ଏନ୍ଏସିରେ ରାସନ ସାମଗ୍ରୀ ଯୋଗାଣ କରୁଛି ଗୋଟେ ମାତ୍ର ଡିଲର । ଅଭିଯୋଗ କାରଣରୁ ଜଣଙ୍କର ଡିଲରସିପ୍ କଟିଯିବା ପରେ ଏବେ ତାକୁ ନେଇ ରାଜନୀତି କରାଯାଉଥିବା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯାହାକୁ ନେଇ ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସିରେ ରାସନ ସାମଗ୍ରୀ ଯୋଗାଣକୁ ନେଇ ଦେଖାଦେଇଛି ଅପ୍ରୀତିକର ପରିସ୍ଥିତି । ଏ ନେଇ ଶତାଧିକ ମହିଳା ଏନ୍ଏସି କାର୍ଯ୍ୟାଳୟ ଘେରାଉ କରି ନିଜର ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନା ଅନୁସାରେ କୋଦଳାରେ ଦୁଇଟି ଡିଲର ମାଧ୍ୟମରେ ସମ୍ପୂର୍ଣ୍ଣ ଏନ୍ଏସିକୁ ରାସନ ସାମଗ୍ରୀ ଯୋଗାଣ କରାଯାଉଥିଲା । କିଛିଦିନ ତଳେ ଅଭିଯୋଗ ଫଳରେ ଜଣଙ୍କର ଡିଲରସିପ୍ କଟିଯାଇଥିବାବେଳେ ଏବେ ଜଣେ ମାତ୍ର ଡିଲର ରହିଛନ୍ତି । ଉକ୍ତ ଡିଲର ଦଣ୍ଡେଶ୍ୱର ଛକରେ ରାସନ ସାମଗ୍ରୀ ବଣ୍ଟନ କରୁଥିବାରୁ ଅନେକ ୱାର୍ଡ ଦଣ୍ଡେଶ୍ୱର ଛକରୁ ବହୁ ଦୂରରେ ରହିଥିବାରୁ ସାମଗ୍ରୀ ନେବାରେ ଅନେକ ଅସୁବିଧା ଭୋଗୁଛନ୍ତି । ଏଣୁ କୋଦଳାରେ ପ୍ରତି ୱାର୍ଡରେ ରାସନ ସାମଗ୍ରୀ ବଣ୍ଟନ କରିବା ପାଇଁ ଦାବି କରିଛନ୍ତି ମହିଳା ।
ଅପରପକ୍ଷେ ସୋମବାର ଦିନ କୋଦଳା ଏନ୍ଏସିର ଅନ୍ୟ କେତେକ ମହିଳା କଟିଥିବା ଡିଲରଙ୍କୁ ବଣ୍ଟନ ପାଇଁ ସୁଯୋଗ ଦେବାକୁ ଦାବି କରିଛନ୍ତି । ତେବେ ଉଭୟଙ୍କ ଦାବି ପତ୍ରକୁ ନେଇ ବର୍ତମାନ କୋଦଳା ଏନ୍ଏସିରେ ଏକ ରୋଚକ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଏହାକୁ ନେଇ ଆଉ କି ପରିସ୍ଥିତି ସୃଷ୍ଟି ହେଉଛି ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ