ଉତ୍କଳ ଗୌରବଙ୍କ ସ୍ମୃତିର ସୁରକ୍ଷା ପାଇଁ ଦିନଟିଏ ବାହାର କରନ୍ତୁ: ମଧୁସ୍ମୃତି ସୁରକ୍ଷା ମଞ୍ଚର ଆହ୍ବାନ

ମଧୁସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ମଧୁବାବୁଙ୍କ ସମାଧି ପୀଠରେ ନିତ୍ୟ ପୂଜ୍ୟପୂଜା ଉପଲକ୍ଷେ ଯୋଗ ଦେଇଥିଲେ ସତ୍ୟଭାମାପୁର ଅଂଚଳର ଗୀତିରଞ୍ଜନ ତ୍ରିପାଠୀ । ସେ ମଧୁବାବୁଙ୍କ ସମାଧି ପୀଠରେ 1750 ଗଙ୍ଗ ଶିଉଳି ଫୁଲରେ ମଧୁବାବୁ ପ୍ରଣାମ ବୋଲି ଲେଖି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମଧୁସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ଗୋରାକବର ସ୍ଥିତ ମଧୁବାବୁଙ୍କ ସମାଧିପୀଠରେ ନିତ୍ୟ ପୂଜ୍ୟପୂଜା ଆୟୋଜିତ ହେବା ସହ ସମାଧିପୀଠରେ ପୁଷ୍ପମାଲ୍ୟାର୍ପଣ କରାଯାଉଛି ।
ମଧୁବାବୁ ହେଲେ ଓଡ଼ିଆ ଜାତିର ପ୍ରଥମ ଗ୍ରାଜୁଏଟ, ପ୍ରଥମ ଏଲ୍.ଏଲ୍.ବି., ପ୍ରଥମ ଓକିଲ ଏବଂ ଅନେକ କିଛି । ଆଉ ତାଙ୍କରି ଉଦ୍ୟମରେ ସ୍ବାଧୀନତା ପୂର୍ବରୁ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା ବ୍ରିଟିସ ଶାସନ ବେଳେ ଗଠିତ ହୋଇଥିଲା । ତେଣୁ ତାଙ୍କ ଉତ୍ସର୍ଗକୁ ସର୍ବଦା ସ୍ମରଣୀୟ କରିବା ଲାଗି ମଞ୍ଚ ତରଫରୁ ସମାଧି ପୀଠକୁ ଜାତୀୟ ସ୍ମାରକୀ ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟକାର୍ଡ କ୍ୟାମ୍ପେନ ଆରମ୍ଭ କରାଯିବା ସହ ପ୍ରତ୍ୟେକ ଦିନ ସମାଧି ପୀଠରେ ନିତ୍ୟ ପୂଜ୍ୟପୂଜା କରାଯାଉଛି ।

“ପାଠ ପଢ଼ିବି ଓକିଲ ହେବି
ମଧୁବାବୁ ସଙ୍ଗେ ଲଢିବି।
ଜାତି ଡାକ ଶୁଣି ଛାତିଫୁଲେଇ ମୁଁ
କାଳିଆ ଘୋଡାରେ ଚଢିବି।”
ମଧୁବାବୁଙ୍କ ଏହି ଉକ୍ତକୁ ଓଡିଶାବାସୀଙ୍କ ମନରେ ଚିରସ୍ମରଣୀୟ କରିବା ଲାଗି ଆରମ୍ଭ ହୋଇଥିବା ଏହି ଛୋଟିଆ ପ୍ରୟାସରେ ପ୍ରତ୍ୟେକ ଓଡିଆ ଏବଂ ରାଜ୍ୟବାସୀ ସାମିଲ ହେବା ପାଇଁ ମଧୁ ସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ଆହ୍ବାନ କରାଯାଇଛି ।