ଦଳବିରୋଧୀ କାମ ପାଇଁ ଦଳରୁ ରାଜୁଙ୍କୁ ଆଉଟ୍

ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର ଦାସ । ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ବହିଷ୍କାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଧାମନଗର ଉପ-ନିର୍ବାଚନରେ ଦଳୀୟ ଟିକେଟ ନ ମିଳିବା ପରେ ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ଦଳର ମୁଖିଆଙ୍କ ନିଷ୍ପତ୍ତି ବିରୋଧରେ ଯାଇ ସେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ଏହାକୁ ଦଳବିରୋଧୀ କାର୍ଯ୍ୟ ଭାବେ ଗ୍ରହଣ କରାଯାଇଛି । ଯେଉଁଥିପାଇଁ ତାଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

ରାଜେନ୍ଦ୍ର ଦାସ ୨୦୦୯ରୁ ୨୦୧୪ ଯାଏଁ ଧାମନଗର ଆସନରୁ ବିଜେଡିର ବିଧାୟକ ରହିଥିବା ବେଳେ ୨୦୧୪ରେ ସେ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିଲେ । ୨୦୧୪ରେ ଦଳ ମୁକ୍ତିକାନ୍ତ ମଣ୍ଡଳଙ୍କ ଉପରେ ଭରଷା କରି ତାଙ୍କୁ ଟିକେଟ୍ ପ୍ରଦାନ କରିଥିଲା ଏବଂ ମୁକ୍ତିକାନ୍ତ ମଧ୍ୟ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଧାମନଗର ଆସନର ଦାୟିତ୍ବ ବହନ କରିଥିଲେ । ମାତ୍ର ୨୦୧୯ରେ ଦଳ ପୁଣିଥରେ ରାଜୁଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ନିର୍ବାଚନୀ ମୈଦାନରେ ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ନିକଟରୁ ମାତ୍ ଖାଇଥିଲେ ।
ଏବେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡିଥିବା ଧାମନଗର ଆସନରେ ଉପ-ନିର୍ବାଚନ ପାଇଁ ବିଗୁଲ ବାଜିଥିଲା । ଆଉ ସେତେବେଳେ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ ରାଜୁ । କିନ୍ତୁ ଦଳ ରାଜୁଙ୍କ ବଦଳରେ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା । ସେହି ସମୟରେ ଅବନ୍ତୀଙ୍କୁ ଭଉଣୀ ବୋଲି ସମ୍ବୋଧନ କରିବା ସହ ତାଙ୍କୁ ସହଯୋଗ କରିବେ ବୋଲି ରାଜୁ ଗଣମାଧ୍ୟମ ସାମ୍ନାରେ କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନିଜ ଆଭିମୁଖ୍ୟ ବଦଳାଇ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଯାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ । ଯାହାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦଳବିରୋଧୀ କାର୍ଯ୍ୟ ପାଇଁ ରାଜୁଙ୍କୁ ବିଜେଡିରୁ ବହିଷ୍କାର କରିଛନ୍ତି ଦଳର ମୁଖ୍ୟ ନବୀନ ପଟ୍ଟନାୟକ ।